ରେଳ ଧାରଣାରେ ଅଟକିଗଲା ଚିପ୍ସ ବୋଝେଇ ହାଇୱା
ଧର୍ମଶାଳା : ଶନିବାର ଭୋର ସମୟରେ ପାଖର ନିକଟରେ ଲେବୁଲକ୍ରସିଂରେ ଯାଉଥିବା ଏକ ଚିପ୍ସ ବୋଝେଇ ହାଇୱା ହଠାତ ଖରାପ ହୋଇଯିବାରୁ ରେଳ ଧାରଣାରେ ଅଟକି ରହିଥିଲା । ତେବେ ରେଳବିଭାଗ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡଧରଣର ବିପଦ ଟଳିଯାଇଛି । ସୂଚନା ମୁତାବକ ଧର୍ମଶାଳା ବ୍ଲକର ହରିଦାସପୁର-ଗଡମଧୁପୁର ରେଳ ଷ୍ଟେସନ ମଧ୍ୟସ୍ଥ ପାଖର ଲେବଲ୍ କ୍ରସିଂ ଉପରେ ଭୋର୍ ସମୟରୁ ଏକ ଚିପ୍ସ ବୋଝେଇ ହାଇୱା ପାସ କରୁଥିବା ସମୟରେ ରେଳ ଧାରଣା ଉପରେ ଖରାପ ହୋଇଯାଇଥିଲା । ଫଳରେ ହାଇୱାଟି ସେଠାରେ ଅଟକି ରହିଥିଲା । ଖବରପାଇ ରେଳ ବିଭାଗ କର୍ମଚାରୀ ଓ ଟ୍ରକ ମାଲିକ ଘଟଣା ସ୍ଥଳରେ ପହଁଚି ଅଟକିଥିବା ହଇୱାରୁ ଚିପ୍ସ ଖଲାସ କରି ରେଳଧାରଣାରୁ ହଟାଇଥିଲେ । ହାଇୱା ଗାଡିଟି ସେଠାରେ ଅଟକି ରହିଥିବା ବେଳେ ଉକ୍ତ ପଥ ଦେଇ ଆସୁଥିବା ଟ୍ରେନକୁ ବିଭିନ୍ନ ଜାଗାରେ ଅଟକାଇ ଦିଆଯାଇଥିଲା । ପାଖାପାଖି ଏକ ଘଣ୍ଟାପରେ ଗାଡି ରେଳଧାରଣାରୁ ହଟିବା ସହିତ ସେଠାରେ ପଡିଥିବା ଚିପ୍ସ ସଫା କରାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ରେଳ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବଡଧରଣର ଅଘଟଣ ଏଡାଯାଇପାରିଥିଲା ।