ପାଇପ୍ ଫାଟି ରାସ୍ତାରେ ପାଣି:   ଶୁଣୁନି ବିଭାଗ କି ଫୋନ ଧରୁ ନାହାନ୍ତି ଅଧିକାରୀ 

 ବ୍ରହ୍ମବରଦା : ପାଇପ ଫାଟି ରାସ୍ତା ଘାଟ ପାଣିରେ ଭାସୁଛି । ଫଟା ପାଇପରୁ ନିର୍ଗତ ପାଣି ରାସ୍ତାରେ ଆବର୍ଜନାକୁ ଡାକି ଆଣିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଫଳରେ ଉକ୍ତ ରାସ୍ତା ଦେଇ ଯିବାଆସିବା କଲାବେଳେ ନାକ କାନ ଫାଟି ପଡୁଛି । ଦିନେ କି ଦୁଇ ଦିନ ନୂହେଁ ଦୀର୍ଘ ଏକ ମାସ ହେବ ଏମିତି ଚାଲିଛି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେବି ବିଭାଗ ଶୁଣୁନି କି ଫଟା ପାଇପର ମରାମତି କରୁନି । ଫଳରେ ଦୈନିକ ହଜାର ହଜାର ଲିଟର ପାଣି ଅକାରଣରେ ନଷ୍ଟ ହେବା ସହ ଶୀତ ଦିନେ ବର୍ଷା ଦିନର ଭ୍ରମ ସୃଷ୍ଟି କରୁଛି । ଯାହାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏମିତି ଏକ ଘଟଣା ଯାହା ଦେଖିବାକୁ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ନାୟକ ସାହି ଗ୍ରାମରେ । ସୂଚନା ଅନୁଯାୟୀ କି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା ବ୍ରହ୍ମବରଦା ଦାଣ୍ଡି ସ୍ଥିତ ପ୍ରତିଷ୍ଠିତ ପାନୀୟ ଜଳ ପ୍ରକଳ୍ପ ଜରିଆରେ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମକୁ ମାଟି ତଳେ ପାଇପ ବିଛାଯାଇ ପାନୀୟ ଜଳ ଯୋଗାଇ ଦିଆଯାଉଛି । କିନ୍ତୁ ବ୍ରହ୍ମବରଦା ପଞ୍ଚାୟତ ନାୟକ ସାହି ମଧ୍ୟ ଦେଇ ଯାଇଥିବା ପାଣି ପାଇପ ଟି ଦୀର୍ଘ ଏକ ମାସ ହେବ ଫାଟି ଯାଇ ଦୈନିକ ହଜାର ହଜାର ଲିଟର ପାଣି ଅହରହ ପାଣି ବହି ଚାଲିଛି । ଫଳରେ ପାନୀୟ ଜଳ ଗ୍ରାମର ବହୁ ସ୍ଥାନରେ ପହଁଚି ପାରୁନାହିଁ ଓ ଲୋକେ ପାଣି ପାଇବାରୁ ବଞ୍ଚôତ ହେଉଛନ୍ତି । ସେହିପରି ବ୍ରହ୍ମବରଦା ପଞ୍ଚାୟତ ଛେନାଖିଆପାଟଣା ଗ୍ରାମର ହନୁମାନ ମନ୍ଦିର ନିକଟରେ ମଧ୍ୟ କିଛିଦିନ ହେବ ପାଇପ ଫାଟି ଅହରହ ପାଣି ବହି ଚାଲିଛି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେ ବି ଚେତୁନି ସମ୍ପୃକ୍ତ ବିଭାଗ । ଏନେଇ ରସୁଲପୁର ପାନୀୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ସ୍ୱାଗତିକା ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଫଟା ପାଇପକୁ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।