‘ସହଯୋଗ’ ଅଭିଯାନର ଜିଲ୍ଲାସ୍ତରୀୟ ବୈଠକ 

 କେନ୍ଦୁଝର: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦରେ ସଚେତନ କରିବା ସହ ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ସେହି ସବୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ‘ସହଯୋଗ’ ଅଭିଯାନକୁ ଜିଲ୍ଲାର ସମସ୍ତ ମୁ୍ୟନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳରେ ସଫଳ ଭାବେ ପ୍ରଣୟନ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମିର୍ଦ୍ଧା ଟପ୍ପ ଓ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଜିଲ୍ଲାର ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ଏହି ଅଭିନବ ପଦକ୍ଷେପର ଉଦେ୍ଦଶ୍ୟ ବାବଦରେ ବିଷଦ ଆଲୋଚନା କରିଥିଲେ । ସହରାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଅନେକ ସରକାରୀ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କୁ ଚିହ୍ନଟ କରି ବ୍ୟାପକ ସଚେତନା ମାଧ୍ୟମରେ ଆବଶ୍ୟକସ୍ଥଳେ ହିତାଧିକାରୀ ମାନଙ୍କୁ ସେମାନଙ୍କ ଘରେ ସୁବିଧା ପହଂଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଥିଲା । ସହରାଞ୍ଚଳରେ ବିଶେଷ ଭାବେ ପ୍ରଚଳିତ ସରକାରଙ୍କ ମୁଖ୍ୟ ୧୩ ଗୋଟି ସୁବିଧା ତଥା ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ, ପିଏମ ବିଶ୍ୱକର୍ମା, ଆୟୁଷ୍ମାନ ଭାରତ, ଶ୍ରମିକ କାର୍ଡ, ଦିବ୍ୟାଙ୍ଗ ପ୍ରମାଣପତ୍ର, ସୁଭଦ୍ରା, ଖାଦ୍ୟ ନିରାପତ୍ତା, ପିଏମ୍ ସୁରକ୍ଷା, ଗାରିମା ଓ ଉଜ୍ଜ୍ୱଳାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତିଙ୍କୁ ଯୋଡ଼ି ଗରିବ ଶ୍ରେଣୀ ଲୋକଙ୍କ ଜୀବନଧାରଣାର ମାନରେ ଉନ୍ନତି ଆଣିବା ନିମନ୍ତେ ବୈଠକରେ ଜୋର ଦିଆଯାଇଥିଲା । ଏହି ସହଯୋଗ ଅଭିଯାନ ଆସନ୍ତା ମେ ପହିଲାଠାରୁ ପରୀକ୍ଷାମୂଳକ ଭାବେ ରାଜ୍ୟର ୧୩ଟି ଜିଲ୍ଲାରେ ଆରମ୍ଭ କରାଯିବ ।