ଏସ୍ଓଏଫ୍ ଅଲିମ୍ପିଆଡ୍ରେ ଛାତ୍ରଙ୍କ କୃତିତ୍ୱ
ଭୁବନେଶ୍ୱର : ୨୦୨୪-୨୫ ଏସ୍ଓଏଫ୍ (ସାଇନ୍ସ ଅଲିମ୍ପିଆଡ୍ ଫାଉଣ୍ଡେସନ) ଅଲିମ୍ପିଆଡ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି ଭୁବନେଶ୍ୱରର ଦୁଇ ଛାତ୍ର । ସେମାନେ ହେଲେ ଅଭିଖ ତ୍ରିପାଠୀ ଏବଂ ପଦ୍ମେଶ ସାହୁ । ସାଇ ଇଣ୍ଟର ନାସନାଲ୍ ସ୍କୁଲ୍ରେ ଅଧ୍ୟୟନରତ ଅଭିଖ ଏହି ଅଲିମ୍ପିଆଡ୍ ପରୀକ୍ଷାର ଅନ୍ତର୍ଜାତୀୟ ସାମାଜିକ ପାଠ୍ୟକ୍ରମ (ଇଣ୍ଟରନାସନାଲ ସୋସିଆଲ ଷ୍ଟଡିଜ୍) ଅଲିମ୍ପିଆଡ୍ରେ ଟପ୍ କରି ପ୍ରମାଣପତ୍ର ସହ ସୁନାପଦକ ହାସଲ କରିଛନ୍ତି । ସେହିପରି ପ୍ରଭୁଜୀ ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ଅଧ୍ୟୟନରତ ପଦ୍ମେଶ ଇଣ୍ଟରନାସନାଲ୍ ସାଇନ୍ସ ଅଲିମ୍ପିଆଡ୍ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ସମେତ ପ୍ରମାଣପତ୍ର ହାତେଇଛନ୍ତି । ନୂଆଦିଲ୍ଲୀ ଠାରେ ଡକ୍ଟର୍ ଆମ୍ବେଦକର ଇଣ୍ଟରନାସନାଲ୍ ସେଣ୍ଟର୍ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଏହି ଦୁଇ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ୭୫୦ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟ ବିଚାରପତି ଜେକେ ମାହେଶ୍ୱରୀ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।