ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ପୂର୍ବାହ୍ନରେ ସହରର ମଙ୍ଗଳବଜାର ସ୍ଥିତ ପୁରୁଣା ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଧାୟକ ଝାରସୁଗୁଡ଼ାବାସୀଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ ପୁରୁଣା ଜିଲ୍ଲା ଡାକ୍ତରଖାନା ଖୋଲିବାକୁ ରାଜ୍ୟ ସରକାର ସମ୍ମତି ଦେଇଥିବା ଘୋଷଣା କରିଛନ୍ତି । ସୂଚନା ଅନୁଶାରେ ପ୍ରଥମ ପର୍ଯ୍ୟାୟରେ ଏହାକୁ ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବରେ ଗଠିତ କରାଯିବ । ଏହି ଡାକ୍ତରଖାନାରେ ଏକ୍ସ-ରେ ମେସିନ, ଲାବୋରେଟୋରି ସୁବିଧା, ସ୍ପେସାଲିଷ୍ଟ ଡାକ୍ତର ଓ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ସହ ବିଭିନ୍ନ ଆନୁସଙ୍ଗିକ ସୁବିଧା ଉପଲବ୍ଧ ରହିବ । ଏହି ଡାକ୍ତରଖାନା ସହ ଝାରସୁଗୁଡ଼ାବାସୀଙ୍କ ଭାବନାତ୍ମକ ସମ୍ପର୍କ ଅଛି ବୋଲି ବିଧାୟକ କହିଛନ୍ତି । ବିଧାୟକ ଶ୍ରୀ ତ୍ରିପାଠୀ ଜଣାଇଛନ୍ତି ଯେ ଏହି ଡାକ୍ତରଖାନା ଜୁନ ୧୨ ତାରିଖରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଦଘାଟିତ ହେବାକୁ ଲକ୍ଷ୍ୟ ରଖାଯାଇଛି । ସେ ଏହାସହ ରାଜ୍ୟ ସରକାରଙ୍କ ସ୍ୱୀକୃତି ଦେଇ ଝାରସୁଗୁଡ଼ାବାସୀଙ୍କ ଭାବାବେଗ ସମ୍ମାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ ସିଡିଏମଓ ଏମଏମ ପଣ୍ଡା, ଏସପି ପି. ସ୍ମିଥ ପରମାର, ପିଡବ୍ଲୁ୍ୟଡି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପଟେଶ୍ୱର, ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ, ଅରବିନ୍ଦ ପାଠକ, ସନ୍ତୋଷ ଯାଦବ, ନେତାଜୀ ପଟ୍ଟନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ  ।