ଏସ୍ସିବିରେ ଇ-ନିଦାନ ସେବାରେ ବ୍ୟତିକ୍ରମ  

କଟକ: ଏସସିବି ମେଡ଼ିକାଲରେ ପରୀକ୍ଷା ରିର୍ପୋଟ ଲାଗି ରୋଗୀ ସଂପର୍କୀୟଙ୍କୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଗୋଟିଏ କ୍ଲିକରେ ମୋବାଇଲରେ ସହଜରେ ରିର୍ପୋଟ ମିଳିବ । ରୋଗୀ ଏବଂ ସଂର୍ପକୀୟ ସୁବିଧା ପାଇଁ ଏସ୍ସିବିରେ ଇ-ନିଦାନ ସେବା ଆରମ୍ଭ କରାଯାଇଥିଲା । ଏହି ସେବାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅନଲାଇନ କ୍ଲିକ କଲେ ବି ରିର୍ପୋଟ ମିଳୁନାହିଁ । ଯାହା ଫଳରେ ରୋଗୀ ସଂପର୍କୀୟମାନେ ରିର୍ପୋଟ ପାଇବା ପାଇଁ ପୁଣି ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି । ଏସ୍ସିବିରେ ବର୍ହିବିଭାଗୀୟ ସୁପରସ୍ପେଶାଲ ବର୍ହିବିଭାଗରେ ରୋଗୀମାନେ ପରୀକ୍ଷା ନିରୀକ୍ଷା ଲାଗି ଘଣ୍ଟା ଘଣ୍ଟା ଅପେକ୍ଷାରେ ରହୁଛନ୍ତି । ନମୂନା ପ୍ରଦାନ ଠାରୁ ଆରମ୍ଭ କରି ପରୀକ୍ଷା ରିର୍ପୋଟ ପାଇବା ଯାଏଁ ନାକେଦମ ହେଉଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ମେଡ଼ିକାଲ କର୍ତ୍ତୃପକ୍ଷ ବିଭିନ୍ନ ବିଭାଗରେ ବର୍ହିବିଭାଗ ନମୁନା ସଂଗ୍ରହ କେନ୍ଦ୍ର (ସାମ୍ପୁଲ କଲେକ୍ସନ କାଉଣ୍ଟର) ଖୋଲିଥିଲେ । ସେହିପରି ରୋଗୀଙ୍କ ନିଦାନ ପରୀକ୍ଷା ପରେ ରିର୍ପୋଟ ଗୁଡ଼ିକ ଅନଲାଇନରେ ବ୍ୟବସ୍ଥାରେ ରୋଗୀଙ୍କ ପଞ୍ଜୀକୃତ ମୋବାଇଲକୁ ପଠାଇବାରେ ଆରମ୍ଭ ହୋଇଥିଲା । ଏଥିଲାଗି ନମୂନା ସଂଗ୍ରହ ସମୟରେ କାଉଣ୍ଟରରେ ବାରକୋଡ଼ିଂ ବ୍ୟବସ୍ଥା କରାଯାଇଛି । ବାରକୋଡ଼ିଂ ଓ ଅନଲାଇନରେ ରିର୍ପୋଟ ପ୍ରଦାନ ଲାଗି ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହା ସତ୍ତ୍ୱେ ଅନଲାଇନରେ ରିର୍ପୋଟ ପ୍ରଦାନ ବେଳେ ବହୁ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି । ସିବିସି ଇଏସଆର ଆଦି ଅନେକ ପରୀକ୍ଷା ରିର୍ପୋଟ ଅନଲାଇନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ । ଅନ୍ୟପଟେ ବାୟୋକେମେଷ୍ଟି୍ର ବିଭାଗ ଅଧୀନରେ ହେଉଥିବା ଏଇଏଫଟି, ଲିପିଡ଼ ପ୍ରୋଫାଇଲ, ୟୁରିଆକି୍ରଏଟାଇନ, ସୋଡ଼ିୟମ ପୋଟାସିୟମ, ଥାଇରଡ଼, କ୍ୟାଲସିୟମ, ଫେରିଟିନ ଆଦି ପରୀକ୍ଷା ରିର୍ପୋଟ ଅନଲାଇନରେ ପ୍ରଦାନ ଲାଗି ରୋଗୀଙ୍କ ମୋବାଇଲକୁ ମେସେଜ ଯାଉଛି । କିନ୍ତୁ ଉକ୍ତ ଲିଙ୍କକୁ କ୍ଲିକ କଲେ ପରୀକ୍ଷା ସଂପର୍କିତ କୌଣସି ତଥ୍ୟ ମିଳୁନାହିଁ । ବଦଳରେ ସାଧାର କାଗଜ ଆସୁଛି । ସେହିପରି ପାଥୋଲୋଜି ବିଭାଗ ଅଧୀନରେ ହୋଇଥିବା ଆରଏ ଫ୍ୟାକ୍ଟର ସିଆରପି, ଡେଙ୍ଗୁ, ମ୍ୟାଲେରିଆ, ଆଇସିଟି ଆଦି ଟେଷ୍ଟ ରିର୍ପୋଟେ ମଧ୍ୟ ଅନ୍ଲାଇନରେ ମିଳୁପାରୁନାହିଁ । ମୁଖ୍ୟତଃ ଦୂର ଦୂରାନ୍ତରୁ ଏସ୍ସିବିକୁ ଆସୁଥିବା ଗୁରୁତର ରୋଗୀଙ୍କ ସୁବିଧା ଲାଗି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ବିଭିନ୍ନ ନମୂନା ରିର୍ପୋଟ ଗୁଡ଼ିକ ରୋଗୀ କିମ୍ବା ସେମାନଙ୍କ ସଂପର୍କୀୟ ପଞ୍ଜୀକୃତ ମୋବାଇଲ ନମ୍ବରକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଇଥିଲା । ହେଲେ ବ୍ୟବସ୍ଥା ସଠି୍କ ଭାବେ କାର୍ଯ୍ୟ କରୁ ନଥିବାରୁ ପୂର୍ବଭଳି ସ୍ଥିତି ଉପୁଜିଛି । ଅନଲାଇନରେ ରିର୍ପୋଟ ନ ମିଳିବାରୁ କାଉଣ୍ଟରରେ ଘଣ୍ଟା ଘଣ୍ଟା ଲମ୍ବାଧାଡ଼ିରେ ଛିଡ଼ା ହେଉଥିବା ଦେଖିବାକୁ ମିଳିଛି । ଏ ନେଇ ଏସିସିବିର ଜଣେ ଅଧିକାରୀ କହିଛନ୍ତି ଏହି ସମସ୍ୟା ସଂପର୍କରେ ଅନୁଧ୍ୟାନ କରାଯିବ ଆଗାମୀ ଦିନରେ ଯେପରି ବିଭ୍ରାଟ ନ ହେଉ ସେଥିପ୍ରତି ଧ୍ୟାନ ଦିଆଯିବ । ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।