ପୁସ୍ତକ ‘ଆତ୍ମ ଚିନ୍ତନ' ଲୋକାର୍ପଣ

 ବରଗଡ  : ସ୍ଥାନୀୟ ଗାନ୍ଧି ସ୍ମୃତି ପାଠାଗାର ଠାରେ ପ୍ରାକ୍ତନ ଅଧ୍ୟାପକ ରବୀନ୍ଦ୍ରନାଥ ପ୍ରଧାନଙ୍କ ରଚିତ ପୁସ୍ତକ ‘ଆତ୍ମ ଚିନ୍ତନ'ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଅଚୁ୍ୟତାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱ ଓ ତରଣୀସେନ ବୁଧିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥିମାନେ ଶ୍ରୀ ପ୍ରଧାନଙ୍କ ପୁସ୍ତକ ଉପରେ ଆଲୋକପାତ କରି କହିଥିଲେ ଯେ, ସାଂସାରିକ ମୋହମାୟାର ଆକର୍ଷଣର ବଶବର୍ତ୍ତୀ ହୋଇ ମଣିଷ ବସ୍ତୁବାଦୀ ହୋଇ ଉଠିଥାଏ । ହେଲେ ମଣିଷ ସାଂସାରିକ ଜୀବନର ମୋହକୁ ପାନ କରି ମଧ୍ୟ ଏବଂ ସଂସାର ତ୍ୟାଗ ନକରି ମଧ୍ୟ ସମାଜର ଉନ୍ନତି କଳ୍ପେ ନିଜର କର୍ତ୍ତବ୍ୟ ପାଳନ କରିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପୁସ୍ତକଟିରେ କର୍ମଯୋଗ, ଭକ୍ତିଯୋଗ ଓ ଜ୍ଞାନଯୋଗର ମାଧ୍ୟମରେ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଭଗବତ ପ୍ରେମୀଙ୍କ ପାଇଁ ସହଜ ଓ ସରଳ ଉପାୟ ବୋଲି ଉଲ୍ଲେଖ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଫେସର ସୁରେନ୍ଦ୍ର ପ୍ରସାଦ ପଣ୍ଡା ମୁଖ୍ୟଅତିଥି, ଅଧ୍ୟାପକ ଡ. ଉମେଶ ଚନ୍ଦ୍ର ମହାପାତ୍ର ପୁସ୍ତକ ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବରେ ଡ.ଉଦ୍ଧବ ପାତ୍ର ଓ ଲେଖକ ଶ୍ରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ଶେଷନ ବିଶି ଅତିଥି ପରିଚୟ, ତରଣିସେନ୍ ବୁଧିଆ ସ୍ୱାଗତ ଭାଷଣ ଦେଇଥିଲେ ।