ଏହି ଦିନ ସରିବ ପିଏମ୍ଏଓ୍ବାଇ ଆବେଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି। ରାଜ୍ୟରେ ପିଏମ୍ଏଓ୍ବାଇ ଲାଗି ଯେଉଁ ଆବେଦନ ପ୍ରକ୍ରିୟା ଚାଲିଛି ତାହା ଆସନ୍ତା ୧୫ରେ ଶେଷ ହୋଇଯିବ। ଏହାପରେ ଆଉ କେହି ପିଏମ୍ଏଓ୍ବାଇ ଲାଗି ଆବେଦନ କରିପାରିବେ ନାହିଁ। ଏଥିଲାଗି ମଝିରେ ଆଉ ଗୋଟିଏ ଦିନ ବାକି ରହିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି। ମନ୍ତ୍ରୀ ନାଏକ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହାପରେ ପ୍ରତ୍ୟେକ ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଏହି ସର୍ଭେ ପ୍ରକ୍ରିୟାର ନାଁ ଆଓ୍ବାସ୍ ପ୍ଲସ୍ ଟୁ ରଖାଯାଇଛି।
ବ୍ଲକ୍ସ୍ତରରୁ ଏକ ଟିମ୍ ଗଠନ କରାଯାଇ ଏହି ସର୍ଭେ କରାଯିବ। ରାଜ୍ୟରେ ଏବେ ୩ ଲକ୍ଷ ଘରର ଛାତ ପଡ଼ିସାରିଥିବା ବେଳେ ୫ ଶହ ସ୍ଥାନରେ ରାସ୍ତାକୁ ନେଇ ସମସ୍ୟା ରହିଥିବା ମନ୍ତ୍ରୀ ନାଏକ କହିଛନ୍ତି। ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଅବଧି କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଥର ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମୋଟ୍ ରାଜ୍ୟରେ ୧ ଲକ୍ଷ ୯୧୭ ଖଣ୍ଡ ଘର ବଣ୍ଟାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଜିଲାଓ୍ବାରି କେତେ ଲେଖାଏ ଘର ବଣ୍ଟାଯିବ ତା’ର ମଧ୍ୟ ତାଲିକା ପ୍ରସ୍ତୁତ ସରିଛି। ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ଜିଲାପାଳମାନଙ୍କୁ ନିଜ ଜିଲାର ଟାର୍ଗେଟ ରଖାଯାଇଥିବା ହିତାଧିକାରୀଙ୍କ ତାଲିକା ଦେବାକୁ ଚିଠି କରାଯାଇଛି। ଏଥିଲାଗି ମଧ୍ୟ ମଝିରେ ଆଉ ଗୋଟିଏ ଦିନ ରହିଛି। ଜିଲାପାଳମାନେ ଏହି ତାଲିକା ପ୍ରଦାନକଲେ ତାହା ଅନୁମୋଦନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ତେଣୁ ବାସ୍ତବରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଠିକ୍ ତାଲିକା ପ୍ରସ୍ତୁତକରି ୧୫ ତାରିଖ ସୁଦ୍ଧା ଦେବାକୁ ଡେପୁଟି ସେକ୍ରେଟାରି କୁଳମଣି ମିଶ୍ର ସବୁ ଜିଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।