ଐତିହ୍ୟ ପଦଯାତ୍ରୀ ବୁଲି ଦେଖିଲେ : "ହିନେ୍ଦାଳ ରାଜବାଟି ଏବେ ଜରାଜୀର୍ଣ୍ଣ'

 ଢେଙ୍କାନାଳ:  ଓଡିଶାର ଗଡ଼ଜାତଙ୍କ ମଧ୍ୟରେ ହିନେ୍ଦାଳ ରାଜ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି  । ହିନେ୍ଦାଳର ରାଜାମାନେ ଅତ୍ୟନ୍ତ ପ୍ରଜା ବତ୍ସଳ ଓ ଉଦାର ଧାର୍ମିକ ଥିଲେ ।  ପ୍ରଜାମାନଙ୍କର ସୁବିଧାପାଇଁ ବିଭିନ୍ନ ଅଚଂଳରେ କୂଅ,ପୋଖରୀ ସମେତ ରାସ୍ତାଘାଟ ନିର୍ମାଣ କରିଥିଲେ ।  ଜଣେ ପୂର୍ବତନ ରାଜା ମନ୍ଦିରକୁ ଦଳିତମାନଙ୍କୁ ପ୍ରବେଶର ଅଧିକାର ଦେଇଥିଲେ ବୋଲି ଗବେଷକ ମାନେ ମତବ୍ୟକ୍ତ କରନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ପ୍ରତିଷ୍ଠିତ ହିନେ୍ଦାଳ ରାଜ ପ୍ରାସାଦର ଏବର ମହଲଟି ୧୮୬୦ ମସିହାରେ ନିର୍ମାଣ କରାଯାଇଥିଲା । ଦଶହରା ପର୍ବବେଳେ ସ୍ୱତନ୍ତ୍ର ଖଣ୍ଡାପୂଜା ଆୟୋଜନ କରାଯାଉଥିବାର କଥା ଦୁଦୁରକୋଟର ରତିକାନ୍ତ ଗଡ଼ନାୟକ ପ୍ରକାଶ କରିଥିଲେ ।  ଯେତେବେଳେ ଓଡ଼ିଶାରେ ଜଳବିଦ୍ୟୁତ କଣ ଲୋକେ ଜାଣି ନଥିଲେ, ସେତେବେଳେ ଓଡିଶାର ତୃତୀୟ ଗଡଜାତ ଭାବରେ ହିନେ୍ଦାଳ ରାଜା ଏକ ଜଳବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିଥିଲେ  । ସମଗ୍ର ରାଜବାଟିରେ ଅତ୍ୟନ୍ତ ଆକର୍ଷଣୀୟ ଦେବା ଦେବୀମାନଙ୍କ ମୂର୍ତ୍ତି ସହିତ ସୁନ୍ଦର ସୂକ୍ଷ୍ମ କାରୁକାର୍ଯ୍ୟମାନ ଖୋଦିତ ହୋଇ ଥିବାର ଦେଖିବାକୁ ମିଳେ । ଅନେକ ଐତିହ୍ୟ ଓ ଗୌରବାବହ ଅଧ୍ୟାୟ ସହିତ ଜଡିତ ଏହି ରାଜ ପ୍ରାସାଦଟି ଏବେ ଜରାଜୀର୍ଣ୍ଣ  । ଅଧିକାଂଶ ଅଂଶ ଏବେ ପରିତ୍ୟକ୍ତ ଓ ଭୂଲୁଣ୍ଠିତ  । ଏକଦା ରାଜନୀତି, ସମାଜ ଓ ସାଂସ୍କୃତିକ ଜାଗରଣ ସହିତ ଜଡ଼ିତ ଏହି ରାଜ ପ୍ରାସାଦର ଜୀର୍ଣ୍ଣ ଶରୀର ବଂଚିବା ପାଇଁ ଏବେ ସଂଘର୍ଷ କରୁଛି । ପ୍ରାସାଦର ଏହି ପରିତ୍ୟକ୍ତ ରୂପ ଦେଖି ପଦଯାତ୍ରୀମାନେ ମ୍ରିୟମାଣ ହୋଇଥିଲେ । ଆଜି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର କୋଡିଏତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଆଜିର ପଦଯାତ୍ରା ହିନେ୍ଦାଳ ରାଜବାଟି ଠାରେ ଅନୁଷ୍ଠିତ ହୋଇଥିଲା ।  ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଦଯାତ୍ରୀଗଣ ହିନେ୍ଦାଳ ରାଜନଅରରେ ପହଁଚିବା ପରେ ସେଠାରେ ରାଜାଙ୍କ ପ୍ରତିନିଧି ସମାଜସେବୀ ରତିକାନ୍ତ ଗଡ଼ନାୟକ ପଦଯାତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।