ଚାରି ଡକାୟତ ଗିରଫ
ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି, ଛିନତାଇ, ରାହାଯାନୀ କରୁଥିବା ୪ଜଣିଆ ଏକ ଗ୍ୟାଙ୍ଗକୁ ସଦର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଅଭିଯୁକ୍ତମାନେ ବିଭିନ୍ନ ଲୁଟପାଟରେ ସାମିଲଥିଲେ । ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ସଦର ଥାନା ପୁଲିସ ସେମାନଙ୍କୁ କାବୁ କରିଥିବା ଗୋବିନ୍ଦପୁର ଫାଣ୍ଡିଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ମାଟିଆ ମୁଣ୍ଡେଇ ଜଙ୍ଗଲ ନିକଟରେ ଥିବା ବାଟପନ୍ଥେଇ ମନ୍ଦିର ଠାରେ କେତେକ ଯୁବକ ଏକତ୍ର ହୋଇ ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ସଦର ଥାନା ଭାପୁର ଫାଣ୍ଡି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ । ଏ ସଂପର୍କରେ ଫାଣ୍ଡି ପୁଲିସ ସଦର ଥାନାକୁ ଅବଗତ କରିବାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା । ସଂପୃକ୍ତ ଟିମ ସେଠାରେ ଚଢାଉ କରି ପଚାରାଉଚରା କରିଥିଲେ । ସେଠାରେ ୩ଟି ଗାଡିରେ ୫ ଜଣ ଯୁବକ ରହିଥିଲେ । ଜଣେ ସେଠାରୁ ମଟରସାଇକେଲ ନେଇ ପଳାଇଥିବା ବେଳେ ୪ ଜଣଙ୍କୁ ପୁଲିସ୍ କାବୁ କରିନେଇଥିଲେ । ସେମାନେ ହେଲେ ମୋଟଙ୍ଗା ଥାନା ହଳଦିଆବାହାଳ ଅଂଚଳର ମିଲନ ନାୟକ ଓରଫ ମିଲୁ(୨୬), ସଦରଥାନା ଚାକୁଣ୍ଡାନାଳୀ ଅଂଚଳର ଦୁଷ୍ମନ୍ତ ନାଏକ(୨୪), କଦମପାଳ ଗ୍ରାମର ସନ୍ତୋଷ ନାଏକ ଓରଫ ସନ୍ତୁ(୨୩) ଏବଂ ଗୁଣ୍ଡିଚା ନାଏକ(୨୮) । ଏହି ୪ ଜଣଙ୍କୁ ପୁଲିସ ଗିରଫ କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ଗୋଟେ ଦେଶୀ ବନ୍ଧୁକ, ୭.୬୫ ଏମଏମ ର ୫ଟି ଆମୁନେସନ, ୧୦ ଟା ଖାଲି ବିୟର ବଟଲ, ୪ ଟା ଲଙ୍କାଗୁଣ୍ଡ ପ୍ୟାକଟେ୍, ଓଡି୦୫ବିଇ୦୫୨୯ ଏବଂ ଓଡି୦୬ ଏମ ୭୨୦୬ ନମ୍ବରର ହିରୋ ସ୍ପେଣ୍ଡର ମଟରସାଇକେଲ, ସିଗାରେଟ ପ୍ୟାକେଟ, ନଗଦ ୪ହଜାର ୯୨୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ନାମରେ ଢେଙ୍କାନାଳ ଟାଉନ, ସଦର, ରାସୋଳ, ମୋଟଙ୍ଗା ଥାନାରେ ଏକାଧିକ ମାମଲା ରହିଛି । ଜିଲ୍ଲାର ବିିଭିନ୍ନ ଅଂଚଳ ସମେତ ଜିଲ୍ଳା ସୀମାବର୍ତ୍ତି ଅନ୍ୟ ଜିଲ୍ଲା ଅଂଚଳରେ ଏକାଧିକ ଚୋରୀ ଡାକାୟତି ଘଟଣାରେ ସେମାନେ ସଂପୃକ୍ତ ରହିଥିବା ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସମ୍ମିଳନୀରେ ସଦର ଥାନା ଅଧିକାରୀ ଦୀପକ ଲେଙ୍କା, ଭାପୁର ଫାଣ୍ଡି ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ, ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଦିପ ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।