ଓଡିଆ ପକ୍ଷ-୨୦୨୫ ଉଦ୍ୟାପିତ, ଓଡିଆ ଅସ୍ମିତାର ଭାବନାକୁ ଋଦ୍ଧିମନ୍ତ କରିବ : ରାଜ୍ୟପାଳ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡିଆପକ୍ଷ’ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଏପ୍ରିଲ୍ ୧ ତାରିଖରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ପାଳନର ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉଦ୍ୟାପନୀ ସମାରୋହରେ ଉଦ୍ବୋଧନଦେଇ ରାଜ୍ୟପାଳ କହିଥିଲେ ଯେ ଓଡିଆ ପକ୍ଷ ପାଳନ କେବଳ ଏକ ସମୟ ଉପଯୋଗୀ ପଦକ୍ଷେପ ନୁହେଁ ବରଂ ଓଡିଶାର ଅନନ୍ୟ ପରିଚୟ, ଐତିହ୍ୟ ଏବଂ ଗର୍ବକୁ ଉଚ୍ଚ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଓଡିଆ ପକ୍ଷ ଲୋକ ପରମ୍ପରା, ସଂସ୍କୃତି, ପ୍ରାଚୀନ ଶାସ୍ତ୍ର, ପର୍ବପର୍ବାଣୀ, ହସ୍ତ ଶିଳ୍ପ, ଖାଦ୍ୟ ଏବଂ ମହାନ ସନ୍ତାନମାନଙ୍କ କୃତୀ ଓ କୀର୍ତିକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିଛି ଯାହା ଲୋକଙ୍କ ମଧ୍ୟରେ ଗର୍ବର ଭାବନାକୁ ପୁନଃଜୀବିତ କରିବ । “ଓଡିଆ ପକ୍ଷ” ପାଳନ ସାଂସ୍କୃତିକ ଗୌରବକୁ ଏକ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ ।
ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପୂର୍ତ, ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ବିଏମ୍ସି ମେୟର ସୁଲୋଚନା ଦାସ ବକ୍ତବ୍ୟ ପ୍ରଦାନ କରି ମାତୃଭୂମି ଓ ମାତୃଭାଷା ପ୍ରତି ମମତା ରଖି ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ପରମ୍ପରା ଏବଂ ବିକାଶର ଧାରା ତଥା ଓଡିଆ ଅସ୍ମିତାକୁ ଅଧିକ କ୍ରିୟାଶୀଳ ତଥା ଋଦ୍ଧିମନ୍ତ କରିବାରେ ଓଡିଆ ପକ୍ଷ ସହାୟକ ହେବ ବୋଲି କହିଥିଲେ ।