ଓଡିଆ ସାହିତ୍ୟ : ବାଗ୍ମୀ ବିଶ୍ୱନାଥ କର

ଓଡିଆ ସାହିତ୍ୟ : ବାଗ୍ମୀ ବିଶ୍ୱନାଥ କର

ବାଗ୍ମୀ ବିଶ୍ୱନାଥ କର ୧୮୬୪ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ କଟକ ଜିଲ୍ଲାସ୍ଥ ମୂଳବସନ୍ତ ଗ୍ରାମରେ । ପିତା ନାରାୟଣ ଚନ୍ଦ୍ର କର ଓ ମାତା ବୈଦେହୀଙ୍କର କୋଳରେ । ବୃତ୍ତିରେ ବିଶ୍ୱନାଥ ଜଣେ ଶିକ୍ଷକ । ସମ୍ବାଦ ପତ୍ରର ସମ୍ପାଦକ । ପ୍ରବନ୍ଧ କ୍ଷେତ୍ରରେ ସେ ବେଶ ପରିଚିତି ଲାଭ କରିଛନ୍ତି । ଜଣେ ମନନଧର୍ମୀ ପ୍ରାବନ୍ଧିକ ଭାବେ ଓଡିଆ ସାହିତ୍ୟର ପ୍ରବନ୍ଧ ବିଭାଗଟିକୁ ଯେପରି ପରିପୁଷ୍ଟ କରିଛନ୍ତି, ସେହିପରି ଶ୍ରୀମନ୍ତ କରିଛନ୍ତି । ପ୍ରବନ୍ଧ ପ୍ରସଙ୍ଗ ପଡିଲେ ପ୍ରଥମେ ସ୍ୱତଃପ୍ରବୃତ୍ତ ଭାବରେ ମନରେ ଆସେ –ପ୍ରବନ୍ଧର ଗାମ୍ଭୀର୍ଯ୍ୟମୟ ସ୍ୱରୂପର କଥା । ଯାହାକି ଜ୍ଞାନ ରୂପକ ସୂକ୍ଷ୍ମ ଚିନ୍ତାଶୀଳତା ଓ ମନସ୍ୱୀତା ପୂର୍ଣ୍ଣ ଶାଣିତ ରସଦୃଷ୍ଟିରେ ଋଦ୍ଧିମନ୍ତ । ଜ୍ଞାନଅନ୍ୱେଷଣ ଓ ତତ୍ତ୍ୱ ଆଲୋଚନା ସାହିତ୍ୟିକ ଆନନ୍ଦଦାନ ସହିତ ମିଶି ଏକ ତ୍ରିକୋଣୀୟ ଯୋଗସୂତ୍ର ପ୍ରବନ୍ଧ ମାଧ୍ୟମରେ ହିଁ ସମ୍ଭବପର ହୋଇଥାଏ । ବିଶ୍ୱନାଥଙ୍କ ପ୍ରବନ୍ଧ ଜଗତ ସେ ଦୃଷ୍ଟିକୋଣରୁ ସମୃଦ୍ଧ । ଲେଖକ ଜୀବନର ଆରମ୍ଭରେ ବିଶ୍ୱନାଥ ପ୍ରଥମେ ପ୍ରବନ୍ଧ ରଚନାରେ ମନୋନିବେଶ କରିଥିଲେ । ତାଙ୍କର କୋଡ଼ିଏ ଗୋଟି ପ୍ରବନ୍ଧକୁ ନେଇ ‘ବିବିଧ ପ୍ରବନ୍ଧ ୧୮୯୬ ମସିହାରେ ପ୍ରକାଶ ପାଇଥିଲା । କଟକର ରାୟ ପ୍ରେସରେ ଏହା ମୁଦ୍ରିତ ହୋଇଥିଲା । 

   

   ଏଥିରେ ସନ୍ନିବେଶିତ ହୋଇଥିବା ପ୍ରବନ୍ଧଗୁଡିକ ସେ ସମୟରେ କେଉଁ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ସେ ସମ୍ପର୍କରେ ଲେଖକୀୟ ସ୍ପଷ୍ଟୀକରଣ ବିବିଧ ପ୍ରବନ୍ଧ ‘ ର ଭୂମିକାରେ ପ୍ରଦତ୍ତ । ସଂକଳନରେ ଥିବା ‘ସ୍ୱାଧୀନଚିନ୍ତା’ ‘ଆଶା’, ‘ମହାସ୍‌ରୋତ', ‘ସ୍ୱାଧୀନତା’, ‘ରାକ୍ଷସୀ ଲୀଳା’, ‘ସ୍ତ୍ରୀ ଶିକ୍ଷା’, ‘ଅନନ୍ତ ପ୍ରେମ’ ପ୍ରବନ୍ଧ ‘ଉତ୍କଳପ୍ରଭା’ ପତ୍ରିକାରେ ପ୍ରକାଶ ପାଇଥିଲା । ବାକି ସମସ୍ତ ପ୍ରବନ୍ଧ ‘ସମ୍ବଲପୁର ହିତୈଶିଣୀ’ରେ ପ୍ରକାଶିତ ହେବା ସହିତ, ଭଞ୍ଜୟ ଆନ୍ଦୋଳନ ସମୟରେ ଲିଖିତ ‘କବି ଉପେନ୍ଦ୍ର ଭଞ୍ଜ' ଓ 'ଗୋଟିଏ ଉତ୍ତର' ମଧ୍ୟ ପୁସ୍ତକରେ ଅପରିବର୍ତ୍ତିତ ଭାବେ ସନ୍ନିବେଶିତ । ( ‘ବିବିଧ ପ୍ରବନ୍ଧର' ଭୂମିକା, ଲେଖା ସମୟ - ୧୩.୧୦. ୧୮୯୬ ) । ପ୍ରଥମ ସଂସ୍କରଣର ଚାରୋଟି ପ୍ରବନ୍ଧ ଥିଲା  । “ ଭାଷାର ଅପବ୍ୟବହାର “, “କଚେରିଆ ଭାଷା “, “ଧର୍ମ ଓ ଆମୋଦ “, “ବିଷମ ସଙ୍କଟ “, ବିବିଧ ପ୍ରବନ୍ଧର ନୂତନ ସଂସ୍କରଣରେ ଅନୁପଲବ୍ଧ । ତାର ସ୍ଥାନ ନେଇଛି ଅନ୍ୟ ଚାରୋଟି ପ୍ରବନ୍ଧ । ତାହା “ସାହିତ୍ୟ ଓ ଜୀବନ “, “ରଘୁବଂଶର ଦିଲୀପ “, “ଜାତୀୟ ଜୀବନରେ ସାହିତ୍ୟର ସ୍ଥାନ “ ଏବଂ ' ଭାଷା ଚର୍ଚ୍ଚା' ‘। ଏହା ‘ଉତ୍କଳ ସାହିତ୍ୟ' ପତ୍ରିକାର ବିଭିନ୍ନ ସଂଖ୍ୟା, ଯଥା - ଉତ୍କଳ ସାହିତ୍ୟ ୩/୨, ୮/୬-୭, ୮/୧୦- ୧୧, ୧୦/୬-୭ ରେ ପ୍ରକାଶ ପାଇଥିଲା । ଅନୁପଲବ୍ଧ ଚାରୋଟି ପ୍ରବନ୍ଧରେ ଲେଖକ ଦୁଇ ପ୍ରକାର ଲେଖା ଲେଖୁଛନ୍ତି । ଯଥା


(କ) ଭାଷା ସମ୍ପର୍କୀୟ –(‘ଭାଷାର ଅପବ୍ୟବହାର' ଓ ‘ କଚେରିଆ ଭାଷା’ )
(ଖ )ସାମାଜିକ ସମସ୍ୟା ସଂକ୍ରାନ୍ତ ଆଲୋଚନା - (‘ଧର୍ମ ଓ ଆମୋଦ’, ‘ ବିଷମ ସଙ୍କଟ ‘)

  ‘ଉତ୍କଳ ସାହିତ୍ୟ’ ପତ୍ରିକାର ବିଭିନ୍ନ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ ଲେଖକ ଶୁଦ୍ଧ ଓଡିଆ ଭାଷା ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ରାବନ୍ଧିକ ଏକ ନିଷ୍ଠାପର ଓ ସାହସୀ ବୁଡାଳି ଭଳି ଭାଷାରୂପକ ସାଗରର ଗଭୀର ଜଳରାଶି ମଧ୍ୟରେ ନିରନ୍ତର ବୁଡ ପକାଇଛନ୍ତି । ଉପଯୁକ୍ତ ଶବ୍ଦଟିଏ ପାଇଲେ ତାହା କେତେଦୂର ତାର ଭାବ ଜଗତକୁ ସଂଚାଳିତ କରିବ ତାହାର ବିଚାର କରିଛନ୍ତି । ଭାଷାର ଏପରି ସଦ୍‌ ବ୍ୟବହାର କରିବା ସହିତ, ଏହାର ଶକ୍ତି ବଳରେ ପ୍ରାବନ୍ଧିକ ନିଜର ଭାବନା ସହିତ ପାଠକର ମାନସିକ ପ୍ରତିକ୍ରିୟାକୁ ମଧ୍ୟ ଯୋଡିବାର ପ୍ରୟାସ କରିଛନ୍ତି । ' ଭାଷାର ଅପବ୍ୟବହାର' ପ୍ରବନ୍ଧରେ ଏହି ଚିନ୍ତାଧାରାର ଚମତ୍କାର ରୂପାୟନ ଦେଖିବାକୁ ମିଳେ । ଭାଷା ସମ୍ବନ୍ଧୀୟ ତାଙ୍କର ଆଉ ଏକ ପ୍ରବନ୍ଧ ହେଉଛି ‘କଚେରିଆ ଭାଷା' । ତତ୍‌ କାଳୀନ ସମୟରେ କଚେରିମାନଙ୍କରେ ଶୁଦ୍ଧ ଓଡ଼ିଆ ଭାଷାର ବ୍ୟବହାର ଉପରେ ବାରମ୍ବାର ଗୁରୁତ୍ୱାରୋପ କରାଯାଉଥିଲେ ମଧ୍ୟ ନାନା ପ୍ରକାର ବିକୃତ କରି କଚେରିମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର କରାଯାଉଥିଲା । ତେଣୁ ଭାଷାର ଏପ୍ରକାର ଅପପ୍ରୟୋଗ ବିରୋଧରେ ‘କଚେରିଆ ଭାଷା’ ପ୍ରବନ୍ଧରେ ନିମ୍ନୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ।


   ଅନ୍ୟ ଦୁଇଟି ପ୍ରବନ୍ଧ- 'ଧର୍ମ ଓ ଆମୋଦ’ ଏବଂ ‘ବିଷମ ସଙ୍କଟ' । ମଣିଷ ପାଇଁ ଧର୍ମ ଓ ନୈତିକତା ଏକାନ୍ତ ଆବଶ୍ୟକ। ଧର୍ମ ବିଶ୍ୱାସ ଓ ଇଶ୍ୱର ଭକ୍ତ ମାନବ ଜୀବନକୁ ପବିତ୍ର କରେ । ତେଣୁ ଧର୍ମ, ଇଶ୍ୱରବିଶ୍ୱାସ, ପ୍ରାର୍ଥନା, ନିତିନିଷ୍ଠ ଜୀବନ ଓ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ପ୍ରାବନ୍ଧିକ ‘ବିଷମ ସଙ୍କଟ' ପ୍ରବନ୍ଧରେ ‘ଧର୍ମ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି' । ପ୍ରାବନ୍ଧିକ ବିଶ୍ୱନାଥ ଯୁବାବସ୍ଥାରେ ବ୍ରାହ୍ମଧର୍ମ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ବ୍ରାହ୍ମଣରୁ ବ୍ରାହ୍ମ ହେଲେ । ଗୋଟିଏ ମହାଢେଉ ଖେଳିଗଲା ସେ ସମୟରେ ଉତ୍କଳରେ । ୧୯୧୮ ମସିହାରେ ‘ବ୍ରାହ୍ମ ଧର୍ମତତ୍ତ୍ୱ' ନାମରେ ଏକ ଗ୍ରନ୍ଥ ବିଶ୍ୱନାଥଙ୍କ ଉଦ୍ୟମରେ ପ୍ରକାଶ ପାଇଥିଲା । ବିଭିନ୍ନ ଅନୁଷ୍ଠାନମାନଙ୍କରେ ମଧ୍ୟ ବ୍ରାହ୍ମଧର୍ମ ସମ୍ପର୍କରେ ସେ ବକୃତା ପ୍ରଦାନ କରିଥିଲେ । ତାଙ୍କର ବକ୍ତୃତା ଏତେ ଚମତ୍କାର ଯେ ଯାହାକୁ ଟିପି ଦେଲେ ପ୍ରବନ୍ଧ ରୂପ ଲାଭ କରିପାରୁଥିଲା । ‘ପରମ ।ତ୍ମାଙ୍କ ପ୍ରକାଶ' ହେଉଛି ଏକ ବକ୍ତୃତାର ଲିଖିତ ରୂପ । ଜାତିଗତ ସଂକୀର୍ଣ୍ଣ ମନେ । ଭାବ, ଅନ୍ଧବିଶ୍ୱାସ ନିକଟରୁ ମଣିଷ ନିଜକୁ ଦୁରେଇ ରଖୁବା ସହିତ ମାନବ ପ୍ରେମରେ ବାନ୍ଧିହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କାରଣ ସେ ଭଲ ଭାବରେ ହୃଦୟଙ୍ଗମ କରିଥିଲେ, ‘ମାନବ ପ୍ରେମ' ହିଁ ବିଶ୍ୱକୁ ଏକତାର ସୂତ୍ରରେ ବାନ୍ଧି ରଖିପାରିବ।

 
 

   ପ୍ରାବନ୍ଧିକ କର ସେ ସମୟରେ ଜଣେ ଆଦର୍ଶ ଶିକ୍ଷକ ଥିଲେ । ତେଣୁ ‘ଶିକ୍ଷାକୁ’ ଆଧାର କରି ସେ କେତେକ ଉପାଦେୟ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ । ତନ୍ମଧ୍ୟରୁ ‘ଶିକ୍ଷା’, ‘ବାଲ୍ୟଶିକ୍ଷା’, ‘ସ୍ତ୍ରୀ ଶିକ୍ଷା’ ଇତ୍ୟାଦି ଅନ୍ୟତମ । ବାଲ୍ୟଶିକ୍ଷା ପ୍ରବନ୍ଧରେ ବିଶ୍ୱନାଥଙ୍କ ସଷ୍ଟୋକ୍ତି ହେଉଛି :- ଶିଶୁର ଶିକ୍ଷା ମାତୃଗର୍ଭରୁ ହିଁ ଆରମ୍ଭ ହୋଇଥାଏ । ବିଶ୍ୱନାଥ ସ୍ତ୍ରୀ ଶିକ୍ଷା ପ୍ରତି ମଧ୍ୟ ସଚେତନ ଥିଲେ  । ଶିକ୍ଷିତା ନାରୀ ହିଁ ଶିକ୍ଷିତ ସମାଜର ଭିତିଭୂମି ପ୍ରସ୍ତୁତ କରେ । ‘ନାରୀ' କେତେକ ବିଶେଷ ଶକ୍ତିର ଅଧୀକାରୀ । ସେ ମଧ୍ୟରୁ ଅର୍ଦ୍ଧେକ ପ୍ରକୃତିଦତ୍ତ, ଆଉ କିଛି ସଂସ୍କୃତି ପ୍ରଦତ୍ତ । ଏ ଉଭୟର ସମିଶ୍ରଣ ନାରୀକୁ ଏକ ସ୍ୱତନ୍ତ ସତ୍ତାରେ ରୂପାନ୍ତରିତ କରିଥାଏ । ତେଣୁ ଆଦର୍ଶ ପାରିବାରିକ ଜୀବନପାଇଁ ‘ସ୍ତ୍ରୀ ଶିକ୍ଷାର’ ଗୁରୁତ୍ୱକୁ ଉପଲବ୍ଧ କରି ଲେଖକ ଆପଣାର ମୌଳିକ ଭାବଧାରାକୁ ବ୍ୟକ୍ତ କରିଛନ୍ତି । ସଭ୍ୟ ଓ ପରିଣତ ସମାଜର ମାନସିକ ଅଭିବୃଦ୍ଧି ଓ ବିକାଶର ମୂଳ ହେତୁ ହେଉଛି ସାହିତ୍ୟ ସାଧନା । ଜୀବନ ସମ୍ପର୍କରେ, ସମାଜ ସମ୍ପର୍କରେ, ‘ଦର୍ଶନ ଓ ସାହିତ୍ୟ ଚର୍ଚ୍ଚା,’ ‘ଭାଷା । ଚର୍ଚ୍ଚା,’ ‘ସାହିତ୍ୟ ଓ ଜୀବନ’, ‘ଜାତୀୟ ଜୀବନରେ ସାହିତ୍ୟର ସ୍ଥାନ’, ‘କବି ଉପେନ୍ଦ୍ର ଭଞ୍ଜ’, ‘ଉତ୍କଳ ସାହିତ୍ୟ ସେବକ' ଇତ୍ୟାଦି ପ୍ରବନ୍ଧରୁ ଏହାର ଚିତ୍ର ସୁସ୍ପଷ୍ଟ ।


  ବିଶ୍ୱନାଥ କବିମାନଙ୍କୁ ସଦା ସର୍ବଦା ଗୁରୁତ୍ୱ ଦେଉଥିଲେ । ସାହିତ୍ୟ ଚର୍ଚ୍ଚା ‘ ପ୍ରବନ୍ଧରେ ବିଶ୍ୱନାଥ କହନ୍ତି - ମାନବ ଜାତି ମଧ୍ୟରେ କବି – ସ୍ପର୍ଶମଣି । ସେ ଯହିଁରେ ହାତ ଦେବ , ସେ ସୁନା ହେବ। ଆମ୍ଭମାନେ ଯାହାକୁ ମାଙ୍କଡା ପଥର ବୋଲି ଗୋଡରେ ଆଡେଇଦେଉ କବି ଯେବେ ସେଥିରେ ଅଙ୍ଗୁଳି ସ୍ପର୍ଶ କରନ୍ତି, ତେବେ ସେହି ପୁଣି ଆମ୍ଭମାନଙ୍କ ନିକଟରେ ମରକତ ମଣି ହୋଇ ଉପସ୍ଥିତ ହୁଏ । ( ବିବିଧ ପ୍ରବନ୍ଧ - ପୃ - ୭୭ – ୧୯୫୬ ମସିହା ) ବିଶ୍ୱନାଥଙ୍କର ପ୍ରବନ୍ଧ ରଚନାରେ ଜଟିଳତା ପ୍ରାୟ ନାହିଁ । ତାଙ୍କର ଗଦ୍ୟ ସରଳ ଓ ସାବଲୀଳ । ଭାଷା ଭାବ ଗର୍ଭକ। ସଦା ସର୍ବଦା ପ୍ରବନ୍ଧ ପ୍ରଦତ୍ତ ତଥ୍ୟକୁ ସହଜ ଚିତ୍ତାକର୍ଷକ ଭଙ୍ଗୀରେ ଉପସ୍ଥାପନ କରିବା ପାଇଁ ସେ ପ୍ରୟାସ କରିଛନ୍ତି । ସଫଳ ମଧ୍ୟ ହୋଇଛନ୍ତି । ନିଷ୍ଠାପର ବ୍ୟକ୍ତିତ୍ୱ ଭାବରେ ଆମ ସାହିତ୍ୟ, ସଂସ୍କୃତି–ଧର୍ମ, ଦର୍ଶନ, ଇତିହାସ ଓ ସମାଜ ଜୀବନକୁ ନିଜସ୍ୱ ଅନୁଭୁତିରୁ ରସାଣିତ କରିଛନ୍ତି। ତାଙ୍କର ସୁବ୍ୟବସ୍ଥିତ ଗଦ୍ୟଜଗତ ବିଶାଳ ନ ହେଲେ ମଧ୍ୟ ଐଶ୍ୱର୍ୟମୟ। ସାରସ୍ୱତ କୃତିତ୍ୱପୂର୍ଣ୍ଣ ।

ଶାରଦା ପ୍ରସାଦ ପ୍ରଧାନ
 ବିଧାୟକ, ମାହାଙ୍ଗା