ଓଡିଶା କନିଷ୍ଠ ଶିକ୍ଷକ ସଂଘର ବିକ୍ଷୋଭ
ଛତ୍ରପୁର : ବିଧାନସଭା କମିଟି ଦ୍ୱାରା ସୁପାରିଶ କରାଯାଇଥିବା ନିଷ୍ପତ୍ତି ନେଇ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ କରାଯାଇ କାର୍ଯ୍ୟକାରୀ କରିବା ସମେତ ବିଭିନ୍ନ ଦାବି ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ସେମାନଙ୍କ ବିଭିନ୍ନ ଦାବି ଗୁଡିକ ତୁରନ୍ତ ପୂରଣ କରିବା ନିମନ୍ତେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କଟାଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବା ବେଳେ, କେବଳ କନିଷ୍ଠ ଶିକ୍ଷକମାନେ ହିଁ ଯୋଜନା ଭିତ୍ତିକ ପରି ଗୋଟିଏ କୁପ୍ରଥାରେ ସଢୁଛନ୍ତି । ଯାହାକୁ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀ ହୃଦବୋଧ କରିଥିଲେ । ସେଥିପାଇଁ ଶିକ୍ଷା ବିଭାଗରେ ଏକ ଐତିହାସିକ ପରିବର୍ତ୍ତନ ଆଣିବା ନିମନ୍ତେ କମିଟି ଗତ ୨.୦୮.୨୫ ତାରିଖ ଦିନ ଚିଠା ନଂ - ୨୧୨୬୮ ରେ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ଦେବା ୪୪,୦୦୦ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ତତ୍ ସହିତ ପୁରୁଣା ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ସମୟକୁ ଚାକିରି ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା । ସରକାରଙ୍କ ଏହି ପଦକ୍ଷେପ ମନରେ ନୂତନ ଆଶା ସଂଚାର କରିଥିଲା । କିନ୍ତୁ ଗତ ତା ୦୭.୦୮.୨୦୨୫ ରିଖ ଦିନ ବିଭାଗ ଏହି ଚିଠାକୁ ଉପଯୁକ୍ତ ସ୍ୱରରେ ଅନୁମୋଦିତ ହୋଇନାହିଁ ବୋଲି ଦର୍ଶାଇ ପ୍ରତ୍ୟାହାର କରି ନେଇଛନ୍ତି । କନିଷ୍ଠଶିକ୍ଷକ (ଯୋଜନାଭିତ୍ତୀକ)ଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି କରିବା ଓ ନୂତନ ଶିକ୍ଷକ ନିଯୁକ୍ତି କରିବା ଏକ ଯୁଗାନୁକାରୀ ପଦକ୍ଷେପ । ସେହି ସମାନ ସୁପାରିଶକୁ ପୁନଶ୍ଚ ସଂସ୍ଥାପନ କରିବା ପାଇଁ ସେମାନେ ଅନୁରୋଧ କରୁଛନ୍ତି । ଆସନ୍ତା ୧୭.୦୮.୨୦୨୫ ସୁଦ୍ଧା ଏହି ଦାବି ପୂରଣ ନ ହୁଏ ତେବେ ଅନେ୍ଦାଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ବଳରାମ ପ୍ରଧାନ, ସମ୍ପାଦକ ଗଜାନନ ଦଳାଇ, ଜଗବନ୍ଧୁ ଗୌଡ଼ ଓ ଗୀତାଞ୍ଜଳି ପ୍ରଧାନଙ୍କ ଶତାଧିକ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ଥିଲେ ।