ବେଧଡ଼କ ଲଘୁ ଖଣିଜ ପଦାର୍ଥ ଲୁଟ୍
ନିଶ୍ଚିନ୍ତକୋଇଲି : ଲୁଣା- ଚିତ୍ରୋତ୍ପଳା ଓ ଚିତ୍ରୋତ୍ପଳା- ମହାନଦୀ ଦ୍ୱୀପାଞ୍ଚଳର ସାଧାରଣ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣୁନଥିବା ସାଙ୍ଗକୁ ବଡ ବଡ ହାଇୱା ଗାଡି ଓ ଜେସିବି ଚାଲୁଥିବା ସମୟରେ ତାହାର ଶବ୍ଦରେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଏ ସଂପର୍କରେ ସ୍ଥାନୀୟ ଥାନା ଓ ନିଶ୍ଚିନ୍ତକୋଇଲି, କିଶୋରନଗର ତହସିଲକୁ ଖବର ଦେଲେ ସୁଦ୍ଧା କୌଣସି ପ୍ରତିକାର ହେଉନଥିବା ଦ୍ୱୀପାଞ୍ଚଳ ଉନ୍ନୟନ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀର କଳମିଶ୍ରି, ନେମାଳ, ବାବୁଜଙ୍ଗ, ମହମ୍ମଦପୁର, ଦାନପୁର, ବାଲିଆପଦା, ମହାନଦୀର ତୋଟାପଡା, କିଶୋରନଗର, ତାରପୁର, ପିପୁର ଆଦି ସ୍ଥାନରୁ ବେଧଡକ ଭାବରେ ଲଘୁ ଖଣିଜ ପଦାର୍ଥ ଯଥା ନଦୀରୁ ବାଲି ଓ ବିଲରୁ ମାଟି ଉଠାଯାଇ ଚିତ୍ରୋତ୍ପଳା ନଦୀର ଦକ୍ଷିଣପଟ ମାରଡା ପାଖରୁ ମହମ୍ମଦପୁର ପର୍ଯ୍ୟନ୍ତ ମାଟି ପଡୁଥିବା ସହ ବାଲି ବୋଝେଇ ଗାଡି ଗୁଡିକ ବାହାର ଅଞ୍ଚଳକୁ ଚାଲାଣ ହେଉଛି । ଗୋଟିଏ ଦୁଇଟି ସ୍ଥାନରେ ସରକାର ଅନୁମତି ଦେଇଥିଲା ବେଳେ ଅନ୍ୟ କୌଣସି ସ୍ଥାନର ସରକାରଙ୍କ ଅନୁମତି ନଥିବାରୁ ସେମାନେ ସନ୍ଧ୍ୟା ସମୟରୁ ଭୋର ପର୍ଯ୍ୟନ୍ତ ଅନବରତ ଗାଡି ନେଇ ଯାଉଛନ୍ତି । ଯାହା ଫଳରେ ସାଧାରଣ ପଥଚାରୀଟିଏ ନିରାପଦରେ ଏହି ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ । ସୂଚନାଯୋଗ୍ୟ , ଯେଉଁ ଜାଗାରେ ଲିଜ୍ ଦିଆଯାଇଛି ସେମାନେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନର ଜ୍ଞାନସାରରେ କେତେ ଗଭୀରତା ପର୍ଯ୍ୟନ୍ତ ବାଲି ଉଠାଇବେ ସେ ସବୁର ତାଲିକା ଫଳକ ଆକାରରେ ମାରିବା କଥା । ଏବଂ ଦୈନିକ କେତେ ପରିମାଣର ବାଲି ଉଠାଉଛନ୍ତି ତାହାର ତଥ୍ୟ ସ୍ଥାନୀୟ ତହସିଲ ଆଗରେ ପଇଠ କରିବା କଥା । ସ୍ଥାନୀୟ ତହସିଲରେ ଏ ସବୁ ପଇଠ କରିବା ତ ଦୂରର କଥା ନିଶ୍ଚିନ୍ତକୋଇଲି ଓ କିଶୋର ତହସିଲ ଓ ଥାନା ପକ୍ଷରୁ କିଛି ହାତଗୁଞ୍ଜା ନେଇ ବାଲିଗାଡିଗୁଡିକୁ ଛାଡି ଦେଉଛନ୍ତି । ଗତ ମାର୍ଚ୍ଚ ମାସରେ ପ୍ରଶାସନକୁ ଜଣାଇବା ପାଇଁ ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ପକ୍ଷରୁ ଗୋଟିଏ ଦୁଇଟି ହାଇୱା ଜବତ କରାଯାଇ ଫାଇନ୍ କରାଯାଇଥିଲେ ବି ଚୋରା ବାଲି ଉଠାଉଥିବା ବ୍ୟକ୍ତିମାନଙ୍କ ଉପରେ କିଛି ଫରକ ପଡୁ ନାହିଁ । ସେହିପରି ରାସ୍ତା କାମ କରୁଥିବା ଠିକାଦାର ଦିନବେଳା ଅହରହ ମାଟି ବୋଝେ ଟ୍ରାକ୍ଟର ବନ୍ଧରେ ପକାଉଥିବାରୁ ସେହି ବନ୍ଧ ଦେଇ ପଥଚାରୀମାନେ ଯାଇପାରୁନାହାଁନ୍ତି । ଏସବୁର ପ୍ରତିକାର ପାଇଁ ଦ୍ୱୀପାଞ୍ଚଳ ଉନ୍ନୟନ ପରିଷଦ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ପାଖରେ ଦାବି କରାଯାଇଛି ।