ଓଭରଲୋଡିଂ ଓ ଫିଟ୍ନେସ ଯାଞ୍ଚ : ୩ ଦିନରେ ୫୬ ଲକ୍ଷ ଜରିମାନା
କଟକ/ଭୁବନେଶ୍ୱର : ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଦେ୍ର୍ଦଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ୱରେ ତିନି ଦିନ ଧରି ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ୱାରା ଓଭରଲୋଡିଂ ଏବଂ ଫିଟନେସ୍ ଯାଞ୍ଚ କରାଯାଇଛି । ୩ ଦିନରେ ୫୬ ଲକ୍ଷରୁ ଉଦ୍ଧ୍ୱର୍ ଜରିମାନା ଆଦାୟ କରାଯାଇଥିବା ଜାଣିବାକୁ ମିଳିଛି ।
ତିନି ଦିନରେ ରାଜ୍ୟରେ ଓଭରଲୋଡିଂ ପାଇଁ ୨୭୫ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ଗାଡ଼ିର ଫିଟନେସ୍ ଠିକ ନଥିବା ଯୋଗୁ ୫୩୬ ଗାଡ଼ି ବିରୋଧରେ ଚାଲାଣ କଟିଛି । ସମୁଦାୟ ୨,୫୩୨ ଚାଲାଣ କଟିଛି । ସେଭଳି ୪୦୧ ଗାଡ଼ିର ଫିଟ୍ନେସ ପ୍ରମାଣପତ୍ର ରଦ୍ଦ କରାଯାଇଛି । ୫୬ ଲକ୍ଷ ୩୭ ହଜାର ୬୩୨ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି । ଓଭରଲୋଡିଂ ବାବଦରେ କଟକ ଆରଟିଓଙ୍କ ଦ୍ୱାରା ୧୪, ସମ୍ବଲପୁରରେ ୨୫, କେନ୍ଦୁଝର ଆରଟିଓରେ ୧୪, ଅନୁଗୁଳରେ ୧୫, ଗଞ୍ଜାମ ଆରଟିଓରେ ୧୪, କଳାହାଣ୍ଡି ଆରଟିଓରେ ୧୩ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲାଣ କଟାଯାଇଛି । ସେହିପରି ଫିଟନେସ୍ ଚେକ୍ରେ କଟକ ଆରଟିଓ ଅଧୀନରେ ୫୦, ଭୁବନେଶ୍ୱର-୧ ଆରଟିଓରେ ୬୮, ଯାଜପୁରରେ ୨୯, ସୋନପୁରରେ ୨୬, ଭଞ୍ଜନଗରରେ ୩୯, ଖୋର୍ଦ୍ଧା ଏଆରଟିଓଙ୍କ ଦ୍ୱାରା ସଡ଼କରେ ଚାଲିବାକୁ ଉପଯୁକ୍ତ ନଥିବା ୩୫ ଗାଡ଼ିର ଚାଲାଣ କଟାଯାଇଛି । ଜଗତସିଂହପୁର ଆରଟିଓରେ ୬୦ ଫିଟନେସ୍ ପ୍ରମାଣ ପତ୍ର ରଦ୍ଦ ହୋଇଥିବା ବେଳେ ସୋନପୁରରେ ୨୬ଟି, କେନ୍ଦୁଝରରେ ୧୭, ଅନୁଗୁଳରେ ୧୮, କୋରାପୁଟରେ ୧୪ ଗାଡ଼ି ଫିଟନେସ୍ ପ୍ରମାଣ ପତ୍ର ରଦ୍ଦ ହୋଇଛି । ଅନୁଗୁଳ ଆରଟିଓରେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଆଦାୟ କରାଯାଇଥିବା ବେଳେ ଚଣ୍ଡିଖୋଲରେ ୩ ଲକ୍ଷ ୭୯ ହଜାର, ଝାରସୁଗୁଡ଼ାରେ ୩ ଲକ୍ଷ ୨୩ ହଜାର, ବଲାଙ୍ଗିରରେ ୫ ଲକ୍ଷ ୧୩ ହଜାର, କଟକରେ ୨ ଲକ୍ଷ ୫୨ ହଜାର, ରାଉରକେଲାରେ ୨ ଲକ୍ଷ ୩ ହଜାର ଓ ବରବିଲ ଏଆରଟିଓରେ ୪ ଲକ୍ଷ ୩୪ ହଜାର ଟଙ୍କା ଆଦାୟ କରାଯାଇଛି ।