ମାଣ୍ଡିଆ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚÿସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି । ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ । " କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ’ ଏହିବର୍ଷର ବିଷୟବସ୍ତୁ ରହିଛି । ପୂର୍ବବର୍ଷ ଭଳି ବିଭିନ୍ନ ସେସନ୍ ବିଶିଷ୍ଟ ଗବେଷକ/ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେବ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ବିସ୍ମୃତ ପ୍ରାୟ ଖାଦ୍ୟାନ୍ନର ଉତ୍ପାଦନ, ବ୍ୟବହାର ଓ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଉଦାହରଣ ସାଜିଛି । ନିକଟରେ ଏଫସିଆଇ ରାଜ୍ୟରୁ ମାଣ୍ଡିଆ ଅନ୍ୟ ରାଜ୍ୟକୁ ପ୍ରେରଣ କରିଛି ଓ ପର୍ଯ୍ୟାୟକ୍ରମେ ମୋଟ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ କେବଳ ଓଡିଶାରୁ ନେବା ପାଇଁ ଯୋଜନା ରହିଛି । ପ୍ରସ୍ତୁତି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ । କୃଷି ନିଦେ୍ର୍ଦଶକ ଶୁଭମ ସକ୍ସେନା, ନିଦେ୍ର୍ଦଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ସୁବ୍ରତ କୁମାର ପଣ୍ଡା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।