ଓଡ଼ିଆ ପକ୍ଷ ପାଳନ ପାଇଁ ପ୍ରସ୍ତୁତି

 ବାଲେଶ୍ୱର : ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମହାଆଡ଼ମ୍ବରରେ ପ୍ରଦର୍ଶନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏପ୍ରିଲ ୧ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ୧୪ ଦିନ ଧରି ଏହି ପକ୍ଷ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଏପ୍ରିଲ୍ ୧ରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯାଇଥିଲା । ସେହିପରି ଏପ୍ରିଲ ୨ରେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ଏପ୍ରିଲ ୩ ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ୍ର, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ କରାଯାଇଛି । ଏପ୍ରିଲ ୪ରେ ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ଆୟୋଜନ କରାଯିବ । ଏପ୍ରିଲ ୫ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏପ୍ରିଲ ୬ରେ  ଜିଲ୍ଲାରେ ଥିବା ଦେବାଳୟ ଓ ଐତିହ ସ୍ଥଳୀଗୁଡ଼ିକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନ କରାଯିବ । ସେହିପରି ୭ରେ ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ନିମନ୍ତେ ଏହି ଦିନଟିକୁ ‘ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ’ ଭାବେ ପାଳନ କରାଯିବ । ୮ରେ ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗପକ୍ଷରୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବ । ୯ ତାରିଖକୁ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ‘ଆସ ବହିଟିଏ କିଣିବା’ ଅଭିଯାନ ଭାବରେ ପାଳନ କରାଯିବ । ୧୦ରେ ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ ‘ଲୋକକଳା ପାଇଁ ଦିନଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ’ ଉତ୍ସବ ପାଳନ କରାଯିବ । ସେହିପରି ୧୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ । ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ । ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ । ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ ୧୩ ତାରିଖରେ ‘ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ’ ଉତ୍ସବ ପାଳନ କରାଯିବ । ଶେଷରେ ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷକୁ ଧୁମଧାମ୍ରେ ପାଳନ କରାଯିବ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ ସିଂ, ବାଲେଶ୍ୱର ଉପଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।