ଓଡ଼ିଶା ମଡେଲ୍ ଆପଣାଇଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଆଉ ଏଥିପାଇଁ ଶାସକ ଆମ ଆଦମୀ ପାର୍ଟି (ଆପ୍) ଏବେଠୁ ଆରମ୍ଭ କଲାଣି ସମରସଜ୍ଜା । ଦିଲ୍ଳୀରେ ଆପ୍ ସରକାର ମହିଳାଙ୍କୁ ନେଇ ନିଜର ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବାକୁ ମନସ୍ଥ କରିଛନ୍ତି । ଓଡ଼ିଶାରେ ବିଜେପି ସରକାରଙ୍କ ‘ସୁଭଦ୍ରା’ ଭଳି ଦିଲ୍ଲୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ । ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଚଳିତ ମାର୍ଚ୍ଚ ମାସରେ ଏହି ଘୋଷଣା ମୁଁ କରିଥିଲି ଏବଂ ଆଶା କରୁଥିଲି ଯେ ଏହା ମେ' -ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଯିବ । କିନ୍ତୁ ତାହା ହୋଇ ପାରିନଥିଲା । ଜେଲରୁ ଫେରିବା ପରଠାରୁ ମୁଁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଏହି ଯୋଜନାର କାର୍ଯ୍ୟକାରୀତାରେ ବ୍ୟସ୍ତ ଥିଲି ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି । ମହିଳାମାନେ ନିଜ ପରିବାର ଚଳାନ୍ତି । ପିଲାମାନଙ୍କୁ ସଂସ୍କାର ଦିଅନ୍ତି ଓ ପାଳି ପୋଷି ବଡ଼ କରନ୍ତି ଏବଂ ସେହି ପିଲାମାନେ ହିଁ ଆମର ଭବିଷ୍ୟତ । ଏପରି ସ୍ଥିତିରେ, ଯଦି ଆମେ ମହିଳାମାନଙ୍କୁ କିଛି ସାହାଯ୍ୟ କରିପାରିବା, ତେବେ ଏହା ଆମର ସୌଭାଗ୍ୟ । ଏହାସହ ସେ ଘୋଷଣା କରିଥିଲେ ଯେ, ଆସନ୍ତାକାଲି ଠାରୁ ଯେଉଁ ପଞ୍ଜୀକରଣ ଆରମ୍ଭ ହେବ ଏହା ୧୦୦୦ ନୁହେଁ, ବରଂ ୨୧୦୦ ଟଙ୍କା ପାଇଁ ହେବ ।