ମୌନୀ ଅମାବାସ୍ୟାରେ ଗଡ଼ିଛି ୩୬୪ ଟ୍ରେନ୍
ନୂଆଦିଲ୍ଲୀ: ମୌନୀ ଅମାବାସ୍ୟା ଦିନ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଖାସ୍ ଏହିଦିନ ପାଇଁ ପ୍ରୟାଗରାଜକୁ ବିଭିନ୍ନ ଷ୍ଟେସନ୍ରୁ ୩୬୪ଟି ଟ୍ରେନ୍ ଚଳାଚଳ ଚରିଥିଲା । ଗୋଟିଏ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନକୁ ଏତେ ସଂଖ୍ୟକ ଟ୍ରେନ୍ ଚଳାଚଳ ଏକ ନୂତନ ରେକର୍ଡ ବୋଲି ଜଣାପଡ଼ିଛି । ଏହି ସମୟ ମଧ୍ୟରେ ୭୭ଟି ସ୍ୱଳ୍ପଦୂରଗାମୀ ଲୋକାଲ ଟ୍ରେନ୍ ମଧ୍ୟ ପରିଚାଳିତ ହୋଇଥିଲା । ବାହାରକୁ ଯାଉଥିବା ଟ୍ରେନଗୁଡ଼ିକରେ ୧୪୨ଟି ନିୟମିତ ଏବଂ ୨୨୨ଟି ମହାକୁମ୍ଭ ମେଳା ସ୍ୱତନ୍ତ୍ର ଟ୍ରେନ୍ ଏହାର ଅନ୍ତର୍ଭୁକ୍ତ । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
ଅଶ୍ୱିନୀ ଆହୁରି କହିଛନ୍ତି ଯେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ରେଳ ଭବନରେ ଅବସ୍ଥିତ ଯୁଦ୍ଧକକ୍ଷରୁ ବାସ୍ତବ ସମୟରେ ସମଗ୍ର ପରିସ୍ଥିତି ଉପରେ ନଜର ରଖୁଛନ୍ତି । ରାଜ୍ୟ ସରକାରଙ୍କ ସହିତ ନିରନ୍ତର ସମନ୍ୱୟରେ ଟ୍ରେନଗୁଡ଼ିକ ପରିଚାଳିତ ହେଉଛି । ତିନୋଟି ରେଳ ଜୋନର ଜିଏମ ଏବଂ ରେଳ ବୋର୍ଡର ଅଧ୍ୟକ୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ନିୟୋଜିତ ଅଛନ୍ତି । ସେହିପରି ରେଳ ଯାତ୍ରୀମାନଙ୍କ ପାଇଁ ବଡ଼ ବଡ଼ ରହଣୀସ୍ଥଳ ସୃଷ୍ଟି କରାଯାଇଛି । ଯେଉଁଠାରେ ସେମାନେ ବସି ନିଜ ଅଞ୍ଚଳର ଟ୍ରେନ୍ ପାଇଁ ଅପେକ୍ଷା କରିପାରିବେ । ରେଳବାଇ ବୋର୍ଡର ସୂଚନା ଏବଂ ପ୍ରଚାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଦିଲୀପ କୁମାର କହିଛନ୍ତି ଯେ ଏହି ଦିନ ଉତ୍ତର କେନ୍ଦ୍ରୀୟ ରେଳବାଇ ଦ୍ୱାରା ସ୍ୱଳ୍ପ ଦୂରଗାମୀ ଲୋକାଲ ଏବଂ ବାହାରକୁ ମିଶାଇ ୨୮୦ଟି ଟ୍ରେନ୍ ପରିଚାଳିତ ହୋଇଥିଲା । ଉତ୍ତର କେନ୍ଦ୍ରୀୟ ରେଳବାଇ ଦ୍ୱାରା ସର୍ବାଧିକ ୧୫୭ଟି ମହାକୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ୍ ପରିଚାଳିତ ହୋଇଥିଲା । ଉତ୍ତର ରେଳବାଇ ୨୮ଟି ଟ୍ରେନ୍ ଏବଂ ଉତ୍ତର ପୂର୍ବ ରେଳବାଇ ୩୭ଟି ଟ୍ରେନ୍ ପରିଚାଳନା କରିଥିଲା । ମେଳାର ସମଗ୍ର ଅବଧିରେ ରେଳବାଇ ପ୍ରାୟ ୧୩,୪୫୦ଟି ଟ୍ରେନ୍ ଚଳାଇବାକୁ ଯୋଜନା କରିଛି; ଯେଉଁଥିରେ ୧୦,୦୨୮ଟି ନିୟମିତ ଟ୍ରେନ୍ ଏବଂ ୩,୪୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ । ଏପର୍ଯ୍ୟନ୍ତ ୧୯୦୦ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।