କଣ ଆପଣଙ୍କୁ ମଧ୍ୟ ହଠାତ୍ ଉଠିପଡ଼ିବା ପରେ ଅନ୍ଧାର ଦେଖାଯାଏ କି?

ବେଳେବେଳେ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ବେଳେ ମୁଣ୍ଡ ଘୁରାଇ ଦେଇ ଅନ୍ଧାରିଆ ଦେଖା ଯାଇଥାଏ l କଣ ଏପରି ଅନୁଭବ ଆପଣଙ୍କର କେବେ ହୋଇଛି କି ?କାରଣ ବର୍ତ୍ତମାନ ସମୟରେ ପ୍ରାୟ ଲୋକ ଏପରି ଅନୁଭବ କରୁଛନ୍ତି। ତେବେ କାହିଁକି ଏମିତି ହେଇଥାଏ ଓ ଏହାର କାରଣ କଣ ହୋଇପାରେ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଅବସ୍ଥାକୁ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ (Orthostatic Hypotension) କୁହାଯାଏ। ଏହାର ଅନେକ କାରଣ ଥାଇପାରେ, ସେଥିମଧ୍ୟରୁ...
ରକ୍ତହୀନତା:-ରକ୍ତହୀନତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଲୋହିତ ରକ୍ତ କଣିକା କମିଯାଏ। ଏହି କାରଣରୁ ମସ୍ତିଷ୍କରେ ଖୁବ୍ କମ୍ ଅମ୍ଳଜାନ ପହଞ୍ଚିଥାଏ। ଫଳରେ ମୁଣ୍ଡ ବୁଲାଇପାରେ।
ବୃଦ୍ଧାବସ୍ଥା:- ବୃଦ୍ଧାବସ୍ଥା କାରଣରୁ କିମ୍ବା କିଛି ରୋଗ ଥିଲେ ଦୀର୍ଘ ସମୟ ଶଯ୍ୟାରେ ଶୋଇରହିବା ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇନଥାଏ। ଫଳରେ ଏପରି ଲକ୍ଷଣ ଦେଖା ଯାଇପାରେ।
ଡିହାଇଡ୍ରେସନ:- ରକ୍ତଚାପ ବା ବ୍ଲଡ୍ ପ୍ରସରେ ଦ୍ରୁତଗତିରେ ହ୍ରାସ ପାଇଲେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ହୁଏ, ଅର୍ଥାତ୍ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିଲେ ମୁଣ୍ଡ ବୁଲାଇଦିଏ କିମ୍ବା ଅନ୍ଧାରିଆ ଦେଖାଯାଏ। ଏହାର ସବୁଠୁ ମୁଖ୍ୟ କାରଣ ହେଉଛି, ଶରୀରରେ ଜଳୀୟଅଂଶର ଅଭାବ। ଡିହାଇଡ୍ରେସନ କାରଣରୁ ଏହା ହୋଇଥାଏ।
ଔଷଧର ପାର୍ଶ୍ୱ ପ୍ରତିକ୍ରିୟା :-କେତେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ଏପରି ସଙ୍କେତ ଦେଖା ଦେଇପାରେ। ବିଶେଷକରି, ଡାଇୟୁରେଟିକ୍ସ ଏବଂ ଆଣ୍ଟିହାଇପର୍ଟେନ୍ସିଭ୍ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ରକ୍ତଚାପ ନିୟନ୍ତ୍ରିତ ହୁଏ ନାହିଁ। ଫଳେ ହଠାତ୍ ଠିଆ ହେବା ସମୟରେ ମୁଣ୍ଡ ବୁଲାଇପାରେ।
ହୃଦରୋଗ:-ଯେକୌଣସି ଲୁକ୍କାୟିତ ହୃଦୟ ସମ୍ବନ୍ଧୀୟ ସମସ୍ୟା ଠିଆ ହେବା ସମୟରେ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଇପାରେ। ହାର୍ଟ ଭଲଭ୍ ଏବଂ ବ୍ରୋଡିକାର୍ଡିଆ କାରଣରୁ ହାର୍ଟ ବ୍ଲଡ୍ ପମ୍ପିଂ କରିପାରେ ନାହିଁ। ଏହି କାରଣରୁ, ମସ୍ତିଷ୍କରେ ଅମ୍ଳଜାନର ଅଭାବ ରହିଥାଏ। ମସ୍ତିଷ୍କକୁ ଅମ୍ଳଜାନ ପହଞ୍ଚି ନପାରିଏ ମୁଣ୍ଡ ବୁଲାଇବା ଏବଂ ଅନ୍ଧାରିଆ ଦେଖାଯିବା ପରି ଲକ୍ଷଣ ଅନୁଭୂତ ହୁଏ।
କିପରି ରୋକାଯାଇପାରିବ:-ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ନିୟମିତ ବ୍ୟାୟାମ କରିବା ଉଚିତ୍ ଯାହାଦ୍ଵାରା ଶରୀର ଫୁର୍ତ୍ତି ରହିବା ସହ ସୁସ୍ଥ ରହିଥାଏ।ବସିବା ସ୍ଥାନରୁ ଉଠିବା ସମୟରେ ଧିରେ ଧିରେ ଠିଆ ହେବାକୁ ଚେଷ୍ଟା କରନ୍ତୁ।ଯଦି ନିୟମିତ ଏଭଳି ମୁଣ୍ଡବୁଲାଇବାର ଲକ୍ଷଣ ଦେଖୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ।