କଣ୍ଟ ଦେଇଥିଲା ଗୋପୀଙ୍କୁ
ପରମ ପବିତ୍ର ଧାମ ଗୋପପୁର । ନନ୍ଦ ମହାରାଜା ରାଜେଧିଶ୍ୱର ଗୋପନଗରୀର ପାଖରେ ଅଛନ୍ତି ମହାରାଣୀ ଯଶୋଦା ମମତାମୟୀ ଜନନୀ । ବୟସ ତୃତୀୟ ପାହାଚ । ଗୋପପୁର ରଙ୍କନିଧି ଗୋପୀମାନଙ୍କ ଜୀବନଧନ କାଇଁଚମାଳିଆ ମୂରଲିଧାରୀ ସେ ଗୋପାଳପୁଅମାନଙ୍କର ପ୍ରାଣର ସଖା । ସମୀପରେ ଅଗ୍ରଜ ହଳପାଣି ଶଙ୍କର୍ଷଣ, ଗୁଣ ତାଙ୍କ ଅବର୍ଣ୍ଣନୀୟ । ଶ୍ରୀଅଙ୍ଗରୁ ଅଧା ଶକ୍ତିମୟୀ ରାଧା । ଗୋପପୁରୀରେ ବିଷାଦ ମନରେ ରଥେ ଅଶ୍ୱଯୋଡ଼ି ସିଏ ଅପେକ୍ଷାରତ ନିରୀହ ଅକ୍ରୁର । ଦୁରାଚାର କଂସାସୁରକୁ ଡର । ରାମକୃଷ୍ଣଙ୍କୁ ମଥୁରା ନେବାକୁ ଆଦେଶ ଗୋପପୁର ପରିବେଶରେ ମର୍ମାହତ ଅକ୍ରୁର, ଆଖି ଛଳଛଳ । ଅତୀତ ହୃଦବିଦାରଣ କରୁଛି ଗୋପଗୋପାଳୁଣିମାନଙ୍କର । ପ୍ରଭୁଙ୍କର ମାୟା । ପରମମୟଜୀବ ସହିତ ଖେଳିବା ଆନନ୍ଦ । ଭକତବନ୍ଧୁ ଭକତର ମନ ଶିକୁଳିରେ ବନ୍ଧା କ’ଣ ଗୋଟାଏ ଖୋଜି ଚାଲିଛନ୍ତି ବାଳମୁକୁନ୍ଦ । କାହାଁନ୍ତି ମୋର ପ୍ରାଣର ଗୋପାଙ୍ଗନାମାନେ । ଦୃଷ୍ଟି ପଡିଲା । ଅଦୂରରେ କୁଞ୍ଜବନରେ ସମସ୍ତେ ଏକତ୍ରିତ । ପାଖକୁ ଗଲେ ମାୟାଧାରୀ ଅଭିମାନରେ ମୁହଁ ବୁଲାଇ ଦେଲେ ଗୋପାଙ୍ଗନାମାନେ । ଆଖି ଛଳଛଳ କରି କହିଲେ, ତୁ’ ତ ମଥୁରା ଯିବୁ, ଯାତ୍ରା ଦେଖିବୁ, ଆମ ପାଖରେ କ’ଣ କାମ ? ଆରେ! ମୋ ଦେହରେ ପଥର ପଡୁଥିଲେ ମୁଁ କାନ୍ଦିଲେ ତୁମ ଅନ୍ତର ବିଦାରି ହେଉଥିଲା । ମୁଁ ହସିଲେ ତୁମେମାନେ ଆତ୍ମହରା ହେଉଥିଲ । ତୁମଘରୁ ସରଲବଣୀ ଚୋରିକଲି ବୋଲି ମାଆକୁ କହି ବାନ୍ଧି ମାଡ଼ ଖୁଆଉଥିଲ । କିନ୍ତୁ ପରେ ମୋ ଆଖିରେ ଲୁହ ଦେଖିଲେ କାଖେଇ କୋଳେଇ ଦେହ ଆଉଁସି କାନ ମୋଡି ହୋଇ ଆଉ ନନ୍ଦରାଣୀକୁ ଗୁହାରି କରିବୁନି ବୋଲି କହୁଥିଲ । ତୁମ କାଖରୁ ଡେଇଁ ହସି ହସି ମୁଁ ଗଡିଯାଉଥିଲି । ସବୁ ଭୁଲିଗଲ । ତୁମମାନଙ୍କର କହ୍ନେଇ ମାମୁଁ ଘରକୁ ଯାଉଛି । ତୁମେ ଖୁସି ହେବା କଥା । ଗୋପାଙ୍ଗନାମାନେ କହିଲେ ଯାଉନୁ, ଆମକୁ କିଆଁ ଫୁଲେଇ ହୋଇ କହୁଛୁ ! ଯିବିଯେ, ମୋର ଗୋଟିଏ ଜିନିଷ ଚୋରି ହୋଇଯାଇଛି । କିଏ ଚୋରି କରିଛି ତୁ କ’ଣ ଆମକୁ ସନେ୍ଦହ କରୁଛୁ? ହଁ ତୁମେମାନେ ଚୋରି କରି ନେଇଛ । ଆମେ କ’ଣ ଚୋରଣୀ ? ଚାଲୁନୁ ଆମ ଘର ଦେଖିବୁ । ସିନ୍ଦୁକ ପେଡି ଦେଖିବୁ । ତୁମ ଘରେ ନାହିଁ, ଏଇଠି ତୁମ ପାଖରେ ଅଛି । ଚକିତ ହେଲେ ଗୋପୀମାନେ । ନିଜ ଦେହକୁ ଭୁଲିଗଲେ ବସନ ଭୂଷଣ ଖୋଲି ପକାଇଲେ । ଆରେ ତୁମ ଦେହ ଭିତରେ ଅଛି । ବଡ କପଟିଆ ତୁ । ଖୋଲି କରି କହୁନୁ । ମୋ ମନ ଚୋରି କରିଛ, ମତେ ଫେରାଇ ଦିଅ । ବଡ ଚାଲାଖି ତୁ । ବସନ ଭୂଷଣ, ଘରଦ୍ୱାର, ଜୀବନ, ସବୁ ନେଇଯା । ଯାହାକୁ ପାଇ ତାଲା ପକାଇ ରଖିଛୁ ଦେଇପାରିବୁ ନାହିଁ । ମୁଁ ଚାରିଦିନ ରହି ଫେରି ଆସିବି । କଣ୍ଟ ହେଉଛି, ଆମର ବି ଜବାବ ରହିଲା । ଚାରିଦିନ ପରେ ଆସିଲେ ଆମେ ଫେରାଇ ଦେବୁ । ଗୋପାଳ ପୁଅଙ୍କୁ ସେଇ କଣ୍ଟ, ଚାରିଦିନ ପରେ ଫେରି ଆସିବ । ଭକ୍ତ ଅକ୍ରୁରର ଆକୁଳ ଅନ୍ତର କଥା ଜାଣିଲେ ଅନ୍ତର୍ଯ୍ୟାମୀ, ହାତଧରି ରଥରେ ବସାଇଲା ଅକ୍ରୁର । ଦେହଗଲା ରଥରେ ! ମନ ନେଇପାରିଲେନି ଠାକୁରେ । ଗୋପର ଆକର୍ଷଣ । ମନ, ପ୍ରାଣ, ସ୍ନେହ ସବୁ ରହିଗଲା । ସତରେ ଠାକୁରେ କ’ଣ ମିଛୁଆ । ଭଣ୍ଡେଇ ଦେଲେ ନା ଗୋପୀମାନଙ୍କୁ ଦେଇଥିବା କଣ୍ଟରେ ରହିଗଲା ପ୍ରଭୁଙ୍କର ହିସାବ ଠିକ୍ । ସେ ପରମ, ସତ୍ୟ, ସର୍ବବ୍ୟାପୀ । ଚାରିଦିନ ପୁରିନାହିଁ, ନିଶ୍ଚୟ ଆସିବେ । ଦିନେ ଭୋଗ ହୋଇ ଦି ଦିନ ଚାଲିଛି, ସତ୍ୟ, ତ୍ରେତୟା ଆଉ ଦୁଇଦିନ ଭୋଗ ହେଲେ ତାଙ୍କ ପରମଯୁଗ ପରମଧନୀ ନିତ୍ୟସ୍ଥଳିକୁ ଆସିବେ, ଧରା ଆଲୋକିତ କରିବେ । କଣ୍ଟ ପୂରଣ ହେବ ।
ଚୈତନ୍ୟ ଜେନା,ନୂଆପଲ୍ଲୀ, ଭୁବନେଶ୍ୱର