କନକଙ୍କ କୃଷି ସମୀକ୍ଷା

 ଭୁବନେଶ୍ୱର : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦୁଇଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକର ସମୀକ୍ଷା ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କରିଥିଲେ । ଦ୍ୱିତୀୟରେ ସିଏମ୍-କିଷାନ, ପିଏମ୍-କିଷାନ ଓ ମାଣ୍ଡିଆର ସରକାରୀ ସ୍ତରରେ କ୍ରୟ ଆଦିର ସମୀକ୍ଷା କରାଯାଇଛି । କୃଷି ବିଭାଗ ଅଧୀନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଯଥା ଇମେଜର ଭିତ୍ତିଭୂମି ବିକାଶ, କୃଷି ଉଦ୍ୟୋଗ ଭବନ ନିର୍ମାଣ, ମିଲେଟ ଫାକ୍ଟ୍ରି, ମିଲେଟ କାଫେ, ଫୁଡ୍ କୋର୍ଟ ନିର୍ମାଣ ଇତ୍ୟାଦିର ଅଗ୍ରଗତିର ସମୀକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି । ଓଡ଼ିଶା ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣକାରୀ ସିଏମ୍-କିଷାନ ଯୋଜନାରେ ସମ୍ପ୍ରତି ୪୫ଲକ୍ଷ ୬୦ହଜାର ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରତିବର୍ଷ ସେମାନଙ୍କୁ ଦୁଇହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରାଯାଉଛି । ଚଳିତ ବର୍ଷ ଆଉ ୬ଲକ୍ଷ ୬୧ହଜାର ନୂତନ ଚାଷୀ ପଞ୍ଜିକୃତ ହେବା ପାଇଁ ଆବେଦନ କରିଛନ୍ତି । ସେହିଭଳି ପିଏମ୍-କିଷାନ ଯୋଜନା ଅଧିନରେ ପ୍ରାୟ ୩୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ସିଏମ୍-କିଷାନ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ନିଜର ଇ-କେୱାଇସି ଓ ଆଧାର ତଥା ଜମି ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ହିତାଧିକାରୀଙ୍କ ଏହି ଭେରିଫିକେସନ ପ୍ରକ୍ରିୟାକୁ ମାର୍ଚ୍ଚ ମାସ ୨୪ ତାରିଖ ସୁଦ୍ଧା ସାରିବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି ।