କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପୁଳା ପୁଳା ସମ୍ପତ୍ତି, ଏକାଧିକ ଘର ସହିତ ଠାବ ହୋଇଛି ୧୪ଟି ପ୍ଲଟ୍ ଓ ଫାର୍ମ ହାଉସ୍
ଭୁବନେଶ୍ୱର, ୨୭ା୧୧ : ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ତାଙ୍କର ପୁଳାପୁଳା ସମ୍ପତ୍ତି ଠାବ କରାଯାଇଛି । ଚଢ଼ଉ ସମୟରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ୩ଟି ବହୁତଳ କୋଠା ଠାବ କରାଯାଇଛି । ତା’ ମଧ୍ୟରେ ଗୋଟିଏ ଚାରି ମହଲା କୋଠା ଅଛି । ଏହି କୋଠାଟି ଭୁବନେଶ୍ୱରର କରୋଡକଣ୍ଟାରେ ରହିଅଛି । ସେହିପରି କେନ୍ଦୁଝରର ଜଗନ୍ନାଥପୁରରେ ତାଙ୍କର ଗୋଟିଏ ଦୁଇ ମହଲା କୋଠା ଥିବା ବେଳେ ଯାଜପୁରର ଜେମାଦେଇପୁର ଶାସନରେ ତାଙ୍କର ଗୋଟିଏ ଘର ଅଛି । କେନ୍ଦୁଝର ଜିଲ୍ଲା ଘାଷିପୁର ତହସିଲର ମଦନପୁରରେ ଶ୍ରୀ ହୋତାଙ୍କର ଏକ ୫ ଏକରର ଜାଗା ରହିଅଛି, ଯେଉଁଠି ସେ ଫାର୍ମ ହାଉସ କରିଛନ୍ତି । ତା’ସହିତ ଭୁବନେଶ୍ୱର, କଟକ ଓ ଯାଜପୁରରେ ତାଙ୍କର ୧୪ଟି ପ୍ଲଟ୍ ଅଛି । ସେଥିରୁ ୪ଟି ଭୁବନେଶ୍ୱର ଓ କଟକରେ ରହିଅଛି । ବାକି ୧୦ଟି ଯାଜପୁରର ଦାନଗଦିରେ ଅଛି । ଏହା ସହିତ ତାଙ୍କର ଗୋଟିଏ ଚାରି ଚକିଆ ଗାଡି ସହିତ ୨ଟି ଦୁଇ ଚକିଆ ଗାଡି ରହିଅଛି । ତାଙ୍କର ବ୍ୟାଙ୍କ, ବୀମା ଓ ପୋଷ୍ଟ ଅଫିସ ଜମା ଏବଂ ଅନ୍ୟାନ୍ୟ ନିବେଶ ନେଇ ଭିଜିଲାନ୍ସର ଖୋଳତାଡ ଜାରି ରହିଛି ।