କମିଟି ନବସି ଶିକ୍ଷକ ବଦଳି ପାଇଁ ତାଲିକା ପ୍ରସ୍ତୁତ  : ବେଆଇନ ଭାବେ ଶିକ୍ଷକ ବଦଳି ପାଇଁ ଚାଲିଛି ମସୁଧା

 କେନ୍ଦୁଝର : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦ୍ୱାରା ପରିଚାଳିତ ସ୍କୁଲରେ ଶିକ୍ଷକଙ୍କ ବଦଳି ପାଇଁ ବଦଳି କମିଟି ପ୍ରତିବର୍ଷ ମେ ୧ ରୁ ଜୁନ୍ ୧୦ ଭିତରେ ବସି ବଦଳି ଫାଇଲ ସ୍ଥିର କରିବେ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଜୁନ ୧୪ ମଧ୍ୟରେ ବଦଳି ଆଦେଶ ପ୍ରକାଶ ପାଇବ । ଏହି ବାର୍ଷିକ ବଦଳି କମିଟିରେ କେନ୍ଦୁଝର ପିଏ ଆଇଟିଡିଏ ଅଧ୍ୟକ୍ଷ ଥିବାବେଳେ, ଚମ୍ପୁଆ ପିଏ ଆଇଟିଡିଏ ସଦସ୍ୟ, କେନ୍ଦୁଝର ଜୋନ ଶିକ୍ଷା ମଣ୍ଡାଳାଧିଶ ସଦସ୍ୟ,ଜିଲ୍ଲା ଶିକ୍ଷା ନୀରିକ୍ଷକ ସଦସ୍ୟ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଆବାହକ ସଦସ୍ୟ ରହିଛନ୍ତି । କିନ୍ତୁ କୌଣସି ପିଏ ଆଇଟିଡିଏ ଏବଂ କେନ୍ଦୁଝର ଜୋନ ଶିକ୍ଷା ମଣ୍ଡାଳାଧିଶ ବଦଳି ନେଇ ଜାଣିନଥିବା କହିଛନ୍ତି । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନରଙ୍କ ଚିଠି ସଂଖ୍ୟା ୫୮୬୪ ତା ୨୨/୦୩/୨୦୨୩ ରିଖ ଅନୁସାରେ ଜିଲ୍ଲାସ୍ତରୀୟ ଶିକ୍ଷକଙ୍କ ବଦଳି ନିୟମାବଳୀ ପ୍ରକାଶ ପାଇଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ବ୍ୟତିକ୍ରମ କରି ଜିଲ୍ଲା ମଙ୍ଗଳ ଅଧିକାରୀ ବଦଳି ଫାଇଲ ପଠାଇଥିବା ଚର୍ଚ୍ଚା ହେଉଛି । ବତ୍ତମାନ ପୁଣି ୫୧ଜଣ ଶିକ୍ଷକଙ୍କ ବଦଳି ଆଦେଶ ପାଇଁ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଯାଇଥିବା ଆଲୋଚନା ହେଉଛି । କେନ୍ଦୁଝର ଜିଲ୍ଲା ମଙ୍ଗଳ ବିଭାଗରେ ଏବେ ଶିକ୍ଷକ ବଦଳି କୁ ନେଇ ଚର୍ଚ୍ଚାର ବିଷୟ ହୋଇଛି । ଏକାସାଙ୍ଗରେ ବହୁ ସଂଖ୍ୟାରେ ଶିକ୍ଷକ ବଦଳି କରାଯାଉଥିବାବେଳେ ଏଥିପାଇଁ ବଦଳି କମିଟି ନ ବସିି ଏବଂ କୌଣସି ନୀତିନିୟମ କରାନଯାଇ ବଦଳି ପାଇଁ ପ୍ରସ୍ତୁତି କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏହାଫଳରେ ବଦଳିର ସ୍ୱଚ୍ଛତାକୁ ନେଇ ସନେ୍ଦହ ଉପୁଜୁଛି । ଜଣେ ଜଣେ ଶିକ୍ଷକ ଦୀର୍ଘ ବର୍ଷ ଧରି ଗୋଟିଏ ସ୍କୁଲରେ ରହି ଆସିଥିଲେ ହେଁ ସେମାନଙ୍କର ବଦଳି କରାଯାଉନାହିଁ ।
ଯଦି କେତେକଙ୍କ ବଦଳି କରାଯାଉଛି ସେମାନଙ୍କୁ ସୁହାଇଲା ଭଳି ଜାଗାକୁ ବଦଳି କରାଯାଉଛି । ଫଳରେ ଦୂର୍ଗମ ଅଞ୍ଚଳରେ ବହୁ ବର୍ଷ ଧରି କାମ କରି ଆସୁଥିବା ଶିକ୍ଷକମାନେ ହତାଶ ହୋଇପଡୁଛନ୍ତି । ଫଳରେ ସେମାନଙ୍କର ପାଠ ପଢାଇବା ପ୍ରତି ଆଗ୍ରହ କମୁଛି ଏବଂ ଅନେକ ସମୟରେ ଛୁଟିରେ ରହୁଛନ୍ତି । ଚଳିତ ବର୍ଷ ବଦଳି ଋତୁ ପୂର୍ବରୁ କେତେକ ଶିକ୍ଷକଙ୍କ ପଦୋନ୍ନତି ବେଳେ ଅନେକ ଶିକ୍ଷକଙ୍କ ବଦଳି କରାଯାଇଥିଲା । ଏବେ ପୁଣି ଶିକ୍ଷକଙ୍କ ବଦଳି ପାଇଁ ପ୍ରକ୍ରୀୟା ସରିଛି । ଗ୍ରୀଷ୍ମ ଛୁଟିରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜ ପସନ୍ଦର ବିଦ୍ୟାଳୟକୁ ବଦଳି ପାଇଁ ଦୌଡୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାମଙ୍ଗଳ ଅଧିକାରୀ ହାତଗଣତି କିଛି ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ବଦଳି ଆଦେଶ ପଠାଇଥିବାରୁ ୬ ବର୍ଷରୁ ଉଦ୍ଧ୍ୱର୍ ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କଥାକୁ ଗୁରୁତ୍ୱ ନ ଦେବା ଦୂରଦୂରାନ୍ତରେ ଥିବା ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷକ ବଦଳି ପୂର୍ବରୁ ସରକାରଙ୍କ ନିୟମ ଅନୁସାରେ ବଦଳି କମିଟି କରାଯାଇ ସବୁ ଶିକ୍ଷକଙ୍କ ସମସ୍ୟା ଓ ନିୟମକାନୁନ ଆଖିଆଗରେ ରଖି ବଦଳି କରାଯିବା କଥା । ମାତ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ନିଜ ଇଚ୍ଛା ଅନୁସାରେ ବଦଳି ପାଇଁ ପଠାଇଥିବା ବହୁ ଶିକ୍ଷକ କହିଛନ୍ତି । ଏ ନେଇ କେନ୍ଦୁଝର ପିଏ ଆଇଟିଡିଏ ପୁନମ ରାଉତ କହିଛନ୍ତି ଯେ, ଶିକ୍ଷକମାନଙ୍କ ବଦଳି ପାଇଁ ଏକ କମିଟି ଦ୍ୱାରା କରାଯାଇଥାଏ । ସେ ଏହି କମିଟିର ଅଧ୍ୟକ୍ଷ, କିନ୍ତୁ କମିଟି ବସିନଥିବା ସେ କହିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କୁ ଏ ନେଇ ପଚାରିବାରୁ ଶିକ୍ଷକ ବଦଳି ପାଇଁ କମିଟି ବସିନଥିବା ସ୍ୱୀକାର କରିଛନ୍ତି ।