କର୍ଣ୍ଣାଟକ ସୁନା ସ୍ମଗଲିଂ ମାମଲା : ଅଭିଯୁକ୍ତ ରାନ୍ୟା ରାଓଙ୍କ ପିତା ଡିଜିପି ରାମଚନ୍ଦ୍ରଙ୍କ ବିରୋଧରେ ଯାଂଚ ନିର୍ଦ୍ଦେଶ
କର୍ଣ୍ଣାଟକ ସୁନା ସ୍ମଗଲିଂ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ପିତା ଡିଜିପି ରାମଚନ୍ଦ୍ର ରାଓଙ୍କ ବିରୋଧରେ ସରକାର ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯାଂଚ ପାଇଁ ଅତିରିକ୍ତ ମୁଖ୍ୟ ସଚିବ ଗୌରବ ଗୁପ୍ତାଙ୍କୁ ନିଯୁକ୍ତ କରାଯାଇଛି । ସେ ଏହି ମାମଲାରେ ରାମଚନ୍ଦ୍ର ରାଓଙ୍କ ଭୂମିକା ଉପରେ ଯାଂଚ କରିବେ । କେବଳ ସେତିକି ନୁହେଁ ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ ଅଧିକାରୀଙ୍କ ଅଣଦେଖା ଓ କର୍ତ୍ତବ୍ୟ ପ୍ରତି ଅବହେଳା ନେଇ ସିଆଇଡି ଯାଂଚ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଡିଜିପି ରାମଚନ୍ଦ୍ର ରାଓ ଏବେ କର୍ଣ୍ଣାଟକ ରାଜ୍ୟ ପୋଲିସ ଆବାସ, ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ବିକାଶ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଅଭିନେତ୍ରୀ ରାନ୍ୟା ରାଓ ତାଙ୍କ ପାଳିତ କନ୍ୟା ।
ସରକାରୀ ଆଦେଶରେ କୁହାଯାଇଛି କି, ଡିଜିପି ରାମଚନ୍ଦ୍ର ରାଓ ସରକାରୀ ପ୍ରୋଟୋକଲ ସମ୍ବନ୍ଧିୟ ଲାଭ ଉଠାଇବା ପାଇଁ ତଥ୍ୟ ଓ ପରିସ୍ଥିତି ଉପରେ ଯାଂଚ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ । ସୂଚନା ଥାଉକି, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ତରଫରୁ ମାର୍ଚ୍ଚ ୩ ତାରିଖରେ କେମ୍ପାଗୌଡା ବିମାନବନ୍ଦରରୁ ରାନ୍ୟା ରାଓଙ୍କ ଠାରୁ ୧୨.୫୬ କୋଟି ଟଙ୍କାର ସୁନା ଜବତ କରିଥିଲା । ଏହି ମାମଲାର ଯାଂଚ ପ୍ରଥମେ ଡିଆରଆଇ କରୁଥିବା ବେଳେ ଏବେ ସିବିଆଇ କରୁଛି ।