୫ ଶ୍ରେଣୀକୁ ଦୁଇ ଶିକ୍ଷକ , ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବାଧକ
ାା ପ୍ରଭାନୁ୍ୟଜ ।ା ଯଖପୁରା: ଆଜିର ଶିଶୁ କାଲିର ଭବିଷ୍ୟତ । ଛୋଟଛୋଟ କୋମଳମତି ପିଲାମାନଙ୍କୁ ଶିକ୍ଷା ଦେବା ଅପରିହାର୍ଯ୍ୟ । ଯେଉଁ ରାଷ୍ଟ୍ର ବିକଶିତ ହୋଇଛି ସେଠାରେ ଶିକ୍ଷାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ଗୋଟେ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ । ରାଜ୍ୟ ସରକାର ହୁଅନ୍ତୁ ଅଥବା କେନ୍ଦ୍ର ସରକାର ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ଯୋଜନା କରୁଛନ୍ତି । ବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କ ଉପସ୍ଥାପନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଉପରେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ଯଦି ସେହି ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ପରିଲକ୍ଷିତ ହୁଏ ତେବେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେବାକୁ କେହିବି ଅଟକାଇପାରିବେନି । ଦାନଗଦୀ ବ୍ଲକ୍ ଶିକ୍ଷା ମଣ୍ଡକ ଅଧୀନସ୍ଥ ମନତିରା ପଞ୍ଚାୟତର କେନ୍ଦୁଢ଼ିପ ପ୍ରାଇମେରୀ ବିଦ୍ୟାଳୟରେ ଏଭଳି ଅବସ୍ଥା ଉପୁଜିଛି । ସଂପୃକ୍ତ ବିଦ୍ୟାଳୟଟି ୧୯୫୯ ମସିହାରୁ ବିଦ୍ୟାଳୟଟି ସ୍ଥାପିତ । ବିଦ୍ୟାଳୟ ଅନେକ ଗୌରବ ମଣ୍ଡିତ କରିଆସିଛି । ଅନେକ ସମୟରେ ଏହି ବିଦ୍ୟାଳୟରୁ କୃତି ଛାତ୍ରଛାତ୍ରୀ ବାହାରି ପାରିଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ବିଦ୍ୟାଳୟଟି ପାରିଦର୍ଷିତା ଲାଭ କରିଛି । ମାତ୍ର ବର୍ତ୍ତମାନ ବିଦ୍ୟାଳୟକୁ ନୀରିଖି ଦେଖିଲେ ତାହା ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ସ୍ଥାନୀୟ ଅଞ୍ଚଳ କେନ୍ଦୁଢିପ, ରାବଣା, ଦାମୋଦରପୁର ଆଦି ଗାଁରୁ ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ପଢ଼ିବା ପାଇଁ ଆସିଥାନ୍ତି । ମାତ୍ର ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଶିକ୍ଷାଦାନରେ ବାଧକ ସାଜିଛି । ପାଞ୍ଚୋଟି ଶ୍ରେଣୀରେ ମୋଟ ୪୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଶିକ୍ଷାଦାନ କରିବା ପାଇଁ ମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ଦୁଇ ଜଣ ଶିକ୍ଷକଙ୍କୁ ପାଞ୍ଚୋଟି ଶ୍ରେଣୀରେ ପଢ଼ାଇବା ପାଇଁ ପଡୁଛି । ଏମିତିକି ଦୁଇଟି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ବସାଇ ପଢିବାକୁ ପଡୁଛି । ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢାଇଲା ବେଳେ ଅନ୍ୟ ଶ୍ରେଣୀର ପିଲାମାନଙ୍କୁ ବସିବାକୁ ପଡୁଛି । ଫଳରେ ପାଠ ପଢାଇବାରେ ବାଧକ ହେଉଛି । ଶିକ୍ଷକ ମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡୁଛି । ସେହି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷକଙ୍କ ଅଭାବ ପାଇଁ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦେବାରେ ଅସୁବିଧା ଉପୁଜିଛି । ବିଗତ ଦିନକୁ ଯଦି ନଜର ଦେବା ତେବେ କେନ୍ଦୁଢିପ ବିଦ୍ୟାଳୟ ଅନେକ ସଫଳତା ପାଇଛି । ଏହି ବିଦ୍ୟାଳୟରୁ ପିଲାମାନେ ସ୍କୋଲାରସିପ, ଆଦର୍ଶ ବିଦ୍ୟାଳୟରେ ପଢିବା ପାଇଁ କୃତିତ୍ୱ ଅର୍ଜନ କରୁଛନ୍ତି । ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ନିଜର ଉଜ୍ଜଳ ଭବିଷ୍ୟତ ଗଢି ପାରିଛନ୍ତି । ଏଥିପାଇଁ ଆଖ ପାଖ ଅଞ୍ଚଳରୁ ବିଦ୍ୟାଳୟକୁ ଅନେକ ପିଲା ପଢ଼ିବା ପାଇଁ ଦୌଡ଼ି ଆସନ୍ତି । ମାତ୍ର ତାହା ଏବେ ଦେଖିବାକୁ ମିଳୁନାହିଁ । ଶିକ୍ଷକ ଅଭାବ ପାଇଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ କମ୍ ରହିଥିବାର ଦେଖିବାକୁ ମିଳୁଛି । ପିଲା ମାନଙ୍କୁ ଠିକ୍ ଭାବରେ ଶିକ୍ଷା ଦିଆଯାଇ ପାରୁନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକ ମହଲରୁ ଦାବି କରାଯାଇଛି ।