କାଗଜ କଲମରେ ଚାଲିଛି ମଣ୍ଡି
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇ ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଛି । ଏଠାରେ ରହିଥିବା ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଥିବାବେଳେ ତାକୁ ଉଠାଯିବା ତ ଦୂରର କଥା, ତାକୁ କାଗଜାପତ୍ରରେ ଏଣ୍ଟ୍ରି ମଧ୍ୟ କରାଯାଉ ନାହିଁ । ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନକୁ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍ ମିଲକୁ ନିଆଯାଉଛି ଏବଂ ସେହି ଧାନକୁ ମଣ୍ଡିର କାଗଜା ମିଥ୍ୟା ଆଗମନ କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମଣ୍ଡିରେ ଦୀର୍ଘଦିନ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହୁଛି । ତାହା ବିକ୍ରି ହୋଇପାରୁ ନଥିବାବେଳେ ଶେଷରେ ବିକ୍ରି ପାଇଁ ସମ୍ପୃକ୍ତ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ଯାଉଛି । ଏଭଳି ସାଂଘାତିକ ଅଭିଯୋଗ ନେଇ ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମର ନିରଞ୍ଜନ ପାଢି ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ । ହିଞ୍ଜିଳିକାଟୁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଲିଥିବା ଅନିୟମିତତାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବା ଓ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ସମସ୍ତ ଧାନକୁ କିଣିବାକୁ ଦାବି କରିଛନ୍ତି । ହିଞ୍ଜିଳିକାଟୁ ସମବାୟ ସମିତି ଓ ସ୍ଥାନୀୟ ଏସ୍ଏଚ୍ଜିକୁ ଉକ୍ତ ମଣ୍ଡିରେ ଧାନକ୍ରୟ ଦାୟିତ୍ୱ ଦିଆଯାଇଛି । କିନ୍ତୁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ସହ କାଗଜ କଲମରେ ଚାଲିଥିବା ଅଭିଯୋଗ ହୋଇଛି । ଚାଷୀମାନେ ସେମାନଙ୍କୁ ମିଳିଥିବା ଟୋକନ ଆଧାରରେ ମଣ୍ଡିକୁ ଧାନ ଆଣୁଛନ୍ତି । କିନ୍ତୁ ସେମାନଙ୍କ ଧାନକୁ କିଣାଯାଉ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ବିଭିନ୍ନ ରାଇସ୍ ମିଲକୁ ଯାଉଛି ଏବଂ ଧାନ କ୍ରୟସଂସ୍ଥା, ମଣ୍ଡି କର୍ମଚାରୀ ଏବଂ ମିଲର୍ସଙ୍କ ମିଳିତରେ ମଣ୍ଡି କାଗଜପତ୍ରରେ ସେହି ଧାନକୁ ଫଲ୍ସଏଣ୍ଟ୍ରି କରାଯାଉ ଥିବାବେଳେ ମଣ୍ଡିରେ ଧାନ ପକାଇଥିବା ଅନେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଉଛି । ଫଳରେ ଟୋକନ ଆଧାରରେ ମଣ୍ଡିକୁ ଆଣିଥିଲେ ସୁଦ୍ଧା ସେମାନେ ଧାନବିକ୍ରିରୁ ବଞ୍ଚିତ ରହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । କାଗଜ କଲମରେ ମଣ୍ଡି ବ୍ୟବସ୍ଥା ଚାଲିବା ଘଟଣା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି । ହିଞ୍ଜିଳିକାଟୁ ବ୍ଲକ୍ରେ ରାଇସ ମିଲ ସମ୍ମୁଖରେ ପ୍ରତିଦିନ ଟ୍ରାକ୍ଟର, ପିକଅପ, ମିନିଟ୍ରକ ଓ ଟ୍ରକ ସୋସାଇଟ ଇସାରାରେ ଧାଡିବାନ୍ଧି ରହୁଛନ୍ତି । ଯେଉଠି ମିଲର ଏଣ୍ଟ୍ରି ପୂର୍ବରୁ ଭାଗ ନଦେଲେ ଏଣ୍ଟ୍ରି କରୁନଥିବା ଅଭିଯୋଗ କରିଛନ୍ତିି ଚାଷି । ଯୋଗାଣ ବିଭାଗ ଅଧିକାରୀ ସବୁ ଜାଣି ନିରବ ରହୁଥିବା ଅଭିଯୋଗ ହୋଇଛି । ମିଲର ଓ ଯୋଗାଣ ଅଧିକାରୀଙ୍କ ଅସାଧୁତା ଗୋଲକ ଧନ୍ଦାଯୋଗୁଁ ବାଧ୍ୟ ହୋଇ ଚାଷୀ ନିଜ ପକେଟରୁ ଅଖା କିଣିବା ସହ ନିଜେ ଗାଡି ଭଡା ଦେଇ ମିଲକୁ ଧାନ ନେଉଛନ୍ତି । ମଣ୍ଡିରେ ସୁଧାର ଆସିବା ପରିବର୍ତ୍ତେ ଶୋଷଣର ଶିକାର ହେଉଛନ୍ତି ଚାଷୀ । ପୂର୍ବ ସରକାର ଅଫିସରମାନେ ଚଳାଉଥିବା ଅଭିଯୋଗ ହେଉଥିଲା କିନ୍ତୁ ଏବେ ଭିତରିଆ ସେଟେଲମେଣ୍ଟ ହେଉଥିବା ଅଭିଯୋଗ ହେଉଛି । ତେବେ ଧାନ ମଣ୍ଡି କାଗଜ କଲମରେ ଚାଲିଥିବା ଅଭିଯୋଗକୁ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।