କାଳିଆପାଣି ଅଞ୍ଚଳରେ ହାତୀ ଆତଙ୍କ
କାଳିଆପାଣି : ଗତ ଦୁଇ ଦିନ ହେଲା କାଳିଆପାଣି ଖଣି ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି । ଦୁଇଟି ଛୁଆହାତୀ ଏବଂ ଗୋଟିଏ ବଡ଼ହାତୀ ଥିବା ଏକ ହାତୀପଲ ଶୁକ୍ରବାର ରାତିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଜଙ୍ଗଲ ପଟୁ ଆସି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ପାଳ, କାଳିଆପାଣି ଓ କଅଁସ ପଞ୍ଚାୟତର ବିଭିନ୍ନ ଗାଁରେ ପସି ଲୋକମାନଙ୍କ ଧାନ କ୍ଷେତ ଏବଂ ବାଡ଼ି ବଗିଚାରେ ପସି ଅନେକ ଫସଲ ନଷ୍ଟ କରିଥିବା ଜଣାପଡିଛି । ଗତକାଲି ଏହି ହାତୀପଲ କାଳିଆପାଣି ନିକଟ ସୁକୁରୁଙ୍ଗୀ କ୍ରୋମାଇଟ ଖଣି ପରିସରରେ ରାତିସାରା ରହିଥିଲେ । ଆଜି ସକାଳେ ବନବିଭାଗ କର୍ମଚାରୀ ହାତୀ ପଲକୁ କାଙ୍କଡ଼ପାଳ ପଞ୍ଚାୟତର ପନାସିଆ ହୁଡ଼ିଦେଇ ସୁକିନ୍ଦା ଆଡ଼କୁ ଯାଇଥିବା ସନ୍ଦେହ କରି କହିଛନ୍ତି । ହାତୀ ଆତଙ୍କରେ କାଳିଆପାଣି ଅଞ୍ଚଳରେ ବିଭିନ୍ନ ଗାଁରେ ଲୋକମାନେ ରାତିରେ ଧାନ ବିଲକୁ ଜଗିରହିଥିବା କହିଛନ୍ତି । ବର୍ତମାନ ଧାନ ଅମଳ ସମୟ ହୋଇଥିବାରୁ ହାତୀ ଜଙ୍ଗଲରୁ ଧାନବିଲ ଆଡକୁ ମୁହାଉଛନ୍ତି ବୋଲି ବନପାଳ ରାମ ତିରିଆ ମତ ଦେଇଛନ୍ତି ।