କୁଆଁର ପୁନେଇ ଜ‌ହ୍ନ ଗୋ....

କୁଆଁର ପୁନେଇ ଜ‌ହ୍ନ ଗୋ....

ଆଜି କୁମାର ପୂର୍ଣ୍ଣିମା କୁମାରୀ କନ୍ୟାମାନେ ସୂର୍ଯ୍ୟ  ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ  କରି ମା’  ବୃନ୍ଦାବତୀଙ୍କ ନିକଟରେ ଗୁଆ, ଲିଆ, କଷି ଜହ୍ନି ଦେଇ ଆଞ୍ଜୁଳି ଟେକିଥାନ୍ତି । ଏହିଦିନ ମା’ଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ପାଳନ କରାଯାଏ। ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବା ପାଇଁ କୁମାରୀମାନେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ରପୂଜା କରନ୍ତି । ଏହି ପୂଜାରେ ଜହ୍ନ ଆସିବା ପରେ ତାକୁ ଦେଖି ଚାନ୍ଦ ପୂଜା ହୁଏ । ଏପରି କଲେ ଚାନ୍ଦ ପରି ବର ମିଳେ ବୋଲି ବିଶ୍ୱାସ ରହିଛି । 

କୁମାରୀମାନେ ପ୍ରାତଃରୁ ଉଠି ସ୍ନାନସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳି ଟେକିଥାନ୍ତି । ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି। ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ର ଦିଆଯାଇଥାଏ। ଚଉରା ଆଗରେ ପିଢ଼ାରେ ଗୁଆ, ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଚାନ୍ଦ ଚକଟା କୁହାଯାଏ ।