କୁକର୍ମ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ
ଯାଜପୁର ଟାଉନ : ଜନୈକା ନାବାଳିକାକୁ କୁକର୍ମ ଓ ହତ୍ୟା ମାମଲାରେ ଗୁରୁବାର ଦିନ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ କରି ଏକ ରାୟ ପ୍ରକାଶ ପାଇଛି । ସୂଚନାଯୋଗ୍ୟଯେ, ତା୧୭ା୨ା୨୦୨୨ରିଖ ସନ୍ଧ୍ୟାରେ ବରୀ ରାମଚନ୍ଦ୍ରପୁର ଥାନା ଅଂଚଳରେ ଜନୈକା ୧୩ବର୍ଷୀୟା ନାବାଳିକା ନଦୀଘାଟକୁ ବାସନ ଓ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ତାଙ୍କୁ ଦୀର୍ଘ ସମୟ ଖୋଜିବା ପରେ ତାଙ୍କର ପତା ମିଳିନଥିଲା । ପରଦିନ ସକାଳୁ ନଦୀଘାଟରେ ସଂପୃକ୍ତ ନାବାଳିକାଙ୍କ ଗଳା କାଟି ନଦୀ ପାଣି ଭିତରେ ମୁଣ୍ଡ ଥିବା ବେଳେ ବାକି ଶରୀରର ନଦୀ ପଠାରେ ପଡ଼ିଥିଲା ।
ଏହି ଘଟଣାକୁ ଦେଖି ପରିବାରବର୍ଗ ଓ ଗ୍ରାମବାସୀ ହତଚକିତ ହୋଇଯାଇଥିଲେ । ଏହାପରେ ନାବାଳିକାଙ୍କ ବାପା ଥାନାରେ ଏତଲା ଦେବାପରେ ଏକ ଅପମୃତୁ୍ୟ ମାମଲାଟି ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ବୋଲି ରିପୋର୍ଟ ମିଳିବାପରେ ବରୀ ଥାନାର ତକ୍ରାଳୀନ ଏସ୍ଆଇ ତଥା ଭାରପ୍ରାପ୍ତ ଥାନାଧିକାରୀ ନାରାୟଣ ପ୍ରସାଦ ବେହେରା ନିଜ ତରଫରୁ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲେ । ଏହି ତଦନ୍ତ ସମୟରେ ସେହି ଗ୍ରାମର ଭାବଗ୍ରାହୀ ବେହେରାଙ୍କ ପୁଅ ସୁବ୍ରତ କୁମାର ବେହେରା ସଂପୃକ୍ତି ଥିବା ନେଇ ଠୋସ୍ ପ୍ରମାଣ ପାଇବା ପରେ ଅଭିଯୁକ୍ତକୁ ବାଙ୍ଗାଲୋରରୁ ଗିରଫ କରି ଯାଜପୁର କୋର୍ଟ ଚାଲାଣ କରାଯାଇଥିଲା । ତଦନ୍ତ ସମୟରେ ଖୋଦ୍ ଅଭିଯୁକ୍ତ ଓ ତାଙ୍କ ପରିବାରବର୍ଗ ଏହି ହତ୍ୟାକାଣ୍ଡକୁ ଯାଜପୁର କୋର୍ଟରେ ୧୬୪ଧାରା ଅନୁଯାୟୀ ସ୍ୱୀକାର କରିଥିବା ଜଣାପଡ଼ିଥିଲା । ଖୋଦ୍ ଅଭିଯୁକ୍ତ ମଧ୍ୟ ସଂପୃକ୍ତା ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ କରିବା ପରେ କାଳେ ନାବାଳିକା ଜଣକ ଏହି ଘଟଣାକୁ ପ୍ରଘଟ କରିଦେବ ଏହି ଆଶଙ୍କା କରି ଶେଷରେ ଏକ ବ୍ଳେଡରେ ନାବାଳିକାଙ୍କ ବେକ କାଟି ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ସମୁଦାୟ ୩୭ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଯାଜପୁରର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଅଭିଜିତ ପଲେଇ ଅଭିଯୁକ୍ତ ସୁବ୍ରତ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇବା ସହ ୫୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି । ସେହିପରି ପୀଡ଼ିତାଙ୍କ ପରିବାରକୁ କ୍ଷତି ପୂରଣ ବାବଦକୁ ୫ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ରାଜୀବ ମହାନ୍ତି ପରିଚାଳନା କରିଥିଲେ ।