କୁକର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

 ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ସ୍ପେଶାଲ ପୋକ୍ସୋ କୋର୍ଟରେ ବୁଧବାର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି  ।  ଜଷ୍ଟିସ ସନ୍ତୋଷ କୁମାର ନାୟକ ଏହାର ବିଚାରଣା କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ଥ କରିବା ସହ ଆଜୀବନ କାରାଦଣ୍ଡା ଦେଶ ପ୍ରଦାନ କରିଛନ୍ତି  । ଏହା ସହ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି  । ଅଭିଯୁକ୍ତ ଜଣକ ହେଲେ ଚାନ୍ଦୁଆ ଥାନା ଅଞ୍ଚଳର ଜଟିଆ ମହାନ୍ତ(୬୧)  । ସୂଚନା ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ୧୯ ବିଳମ୍ବିତ ରାତିରେ ଜନୈକା ମହିଳା ଜଣକ ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ଜୋର ଜବରଦସ୍ତ ଘର ମଧ୍ୟକୁ ପ୍ରବେଶ କରିଥିଲା  । ଏପରିକି ମହିଳାକୁ ଧମକଚମକ ଦେଇ ଦୁଷ୍କର୍ମ କରିବା ପରେ ଘଟଣା ସମ୍ପର୍କରେ ଜଣାଇଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା  । ତେବେ ମହିଳା ଜଣକ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ  । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରୁ ସୁସ୍ଥ ହେବା ପରେ ପରିବାର ଲୋକେ ୨୫ ସେପ୍ଟେମ୍ବର ୨୦୨୩ରେ ଲିଖିତ ଅଭିଯୋଗ କରିଥିଲେ  । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ୯୭/୨୩ରେ ରୁଜୁ କରି ଅଭିଯୁକ୍ତ ଜଟିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା  । ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୁଲିସ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି  । ଏହା ସହିତ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୧ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ପ୍ରାଧିକରଣଙ୍କୁ ସୁପାରିଶ କରାଯାଇଛି । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ  ।