କୁମ୍ଭମେଳାରେ ଅଘଟଣକୁ ଯୋଗୀ ସରକାରଙ୍କ ଅପାରଗତା କହିଲେ ଅଖିଳେଶ
କୁମ୍ଭମେଳାରେ ଗତକାଲି ରାତିରେ ଘଟିଥିବା ଅଘଟଣକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସିଧାସଳଖ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, କୁମ୍ଭମେଳା ଆୟୋଜନ କରି ଡେଙ୍ଗୁରା ପିଟୁଥିବା ଯୋଗୀ ସରକାର କିନ୍ତୁ ଅଧା ବ୍ୟବସ୍ଥା କରି ଶ୍ରଦ୍ଧାଳୁଙ୍କୁ ମରଣମୁହଁକୁ ଠେଲି ଦେଇଛି । ଏହାସହ କୁମ୍ଭମେଳା ଆୟୋଜନ କରିବା ଯୋଗୀ ସରକାରଙ୍କ କ୍ଷମତା ବାହାରେ, ଏବେ କୁମ୍ଭମେଳାର ଦାୟିତ୍ୱ ସେନା ହାତରେ ସମର୍ପି ଦେବାକୁ ସେ ଦାବି କରିଛନ୍ତି ।
କେବଳ ସମାଜବାଦୀ ପାର୍ଟି ନୁହେଁ , କଂଗ୍ରେସ ମଧ୍ୟ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଯୋଗୀ ସରକାର ସହ ବିଜେପିକୁ କଟାକ୍ଷ କରିଛି । କଂଗ୍ରେସ ନେତା ସୁରିନ୍ଦର ରାଜପୁତ କହିଛନ୍ତି କି, ବ୍ୟବସ୍ଥାରେ ତୃଟି ବା ପୂର୍ଣ୍ଣ ବ୍ୟବସ୍ଥା ହୋଇନଥିବାରୁ ଏଭଳି ଘଟଣା ଘଟିଲା । ଏହାସହ ସେ ଶ୍ରଦ୍ଧାଳୁଙ୍କୁ ପ୍ରଶାସନର କଥା ମାନିବାକୁ ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ଏହି ଘଟଣା ପାଇଁ ସେ ଶାସକ ଓ ପ୍ରଶାସକ ଉଭୟଙ୍କ ଦାୟୀ କରିବା ସହ କହିଛନ୍ତି କି, ସରକାର କେବଳ କୁମ୍ଭମେଳାର ଭିଡକୁ ଦେଖାଇ ପ୍ରଶଂସା ସାଉଣ୍ଟିବା କାମରେ ଲାଗିଛନ୍ତି ।
କଂଗ୍ରେସ ନେତା ତଥା ଉତ୍ତରପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣା ପାଇଁ ଯୋଗୀ ସରକାରଙ୍କ ଭିଭିଆଇପି ମୁଭମେଣ୍ଟକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି, ଯୋଗୀ ସରକାର ଭିଭିଆଇପି ମୁଭମେଣ୍ଟ କରାଇବା ଚକ୍କରରେ ସାଧାରଣ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଆଖିବୁଜିଦେବା କାରଣରୁ ଏଭଳି ଘଟଣା ଘଟିଛି ।
ବିରୋଧୀ ଦଳ ନେତା ତଥା ରାଏବରେଲୀ ସାଂସଦ ରାହୁଲ ଗାନ୍ଧୀ ମୃତକ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ମଧ୍ୟ ସମାନ ଭାବେ ଏଭଳି ଘଟଣା ପାଇଁ ଯୋଗୀ ସରକାରଙ୍କ ଭିଭିଆଇପି ମୁଭମେଣ୍ଟକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବେଳେ ଭିଭିଆଇପି କଲଚର ବନ୍ଦ କରିବାର ଆବଶ୍ୟକତା ରହିଛି । ଏହାସହ ସେ ଦଳୀୟ କର୍ମୀଙ୍କୁ ପୀଡିତ ପରିବାରକୁ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି ।
ଏଭଳି ଦୁର୍ଘଟଣା ଘଟିବା ପରେ ଚେତିଛି ପ୍ରଶାସନ । ପ୍ରୟାଗରାଜକୁ କୁମ୍ଭସ୍ନାନ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ଗାଡିକୁ ଫତେହପୁର ସୀମା ନିକଟରେ ଅଟକ ରଖାଯାଉଛି । ଶହ ଶହ ସଂଖ୍ୟାର ସେନା ଯବାନ ଓ ପୋଲିସ କର୍ମୀ ଫତେହପୁର ସୀମାରେ ଶ୍ରଦ୍ଧାଳୁଙ୍କୁ ଅଟକାଇବା କାମରେ ଲାଗିଛନ୍ତି ।