ସାଲେପୁରକୁ କେବେ ମିଳିବ ଏନ୍ଏସି ମାନ୍ୟତା?


 ସାଲେପୁର: ସାଲେପୁର ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ ପାଇଁ ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାକୁ ନେଇ ଏବେ ଏନ୍ଏସି ଘୋଷଣାକୁ ନେଇ ସାଲେପୁର ରାଜନୀତି ସରଗରମ ହୋଇ ଉଠିଛି । କିଛିଦିନ ତଳେ ରାଜ୍ୟ ସରକାର ୧୨ଟି ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଥିବାବେଳେ ସାଲେପୁର ଅଞ୍ଚଳ ସେଥିରୁ ବାଦ୍ ପଡିଥିବାରୁ ସାଲେପୁର ଏନ୍ଏସି ଘୋଷଣାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବାବେଳେ  ସାଲେପୁର ଏନ୍ଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ବିଧାୟକ ପ୍ରକାଶ ବେହେରା ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ, ସାଲେପୁରର ସମସାମୟିକ ସହରଗୁଡିକ ବର୍ତ୍ତମାନ ଜିଲ୍ଲା କିମ୍ବା ସବ୍ଡିଭିଜନ୍ର ମାନ୍ୟତା ପାଇସାରିଥିବାବେଳେ ସାଲେପୁର ସହରକୁ ଅଦ୍ୟାବଧି ଏନ୍ଏସି ଘୋଷଣା କରାଯାଇନାହିଁ । ସେ ଯେତେବେଳେ ବିଧାୟକ ଭାବେ କାର୍ଯ୍ୟ କରୁଥିଲେ, ସେ ସମୟରେ ସାଲେପୁର ଅଞ୍ଚଳକୁ ଏନ୍ଏସି ମାନ୍ୟତା ଦାବି କରି ବିଧାନସଭାର ମଧ୍ୟସ୍ଥଳରେ ଧାରଣାରେ ବସିଥିଲେ । ତତ୍କାଳୀନ ବାଚସ୍ପତି ସେ ସମୟରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ ଏ ସଂପର୍କରେ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ରାଜନୈତିକ ଦୂରଭିସନ୍ଧି ଯୋଗୁ ସେ ସମୟରେ ତାହା କରାଇ ଦିଆଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।  ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ଗଲେ ସାଲେପୁର ବହୁ ପୂର୍ବରୁ ଏନ୍ଏସି ମାନ୍ୟତା ପାଇବା କଥା । ଏ ସଂପର୍କରେ ବିଗତ ଦିନରେ ବିଧାନସଭା କାଳରେ ବିଭିନ୍ନ ସମୟରେ ଉପଯୁକ୍ତ ସ୍ତରରେ ମନ୍ତ୍ରୀ ତଥା ପ୍ରଶାସନିକ ସ୍ତରରେ ପ୍ରଚେଷ୍ଟା ଜାରି ରଖିଥିଲି । ଅପର ପକ୍ଷରେ ୨୦୨୪ ନିର୍ବାଚନ ଅବ୍ୟବହିତ ପୂର୍ବରୁ ହଠାତ୍ ତରବରିଆ ଭାବେ ସାଲେପୁରକୁ ଏନ୍ଏସି ମାନ୍ୟତା ଦେବାକୁ ଘୋଷଣା କରାଗଲା । କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଏକ ରାଜନୈତିକ ଧୂଆଁବାଣ ଥିଲା ବୋଲି ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳବାସୀଅନୁଭବ କରିଥିଲେ । କିନ୍ତୁ ବର୍ତ୍ତମାନ ୧୨ଟି  ଅଞ୍ଚଳକୁ ଏନ୍ଏସି ଘୋଷଣା କରିଥିବାବେଳେ ସମସ୍ତ ଭିତ୍ତିଭୂମି ଥିବା ସାଲେପୁରକୁ ଏନ୍ଏସି ମାନ୍ୟତା ପ୍ରଦାନ କରିବା ପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖିଛନ୍ତି ।