ନାଁ କୁ ଷ୍ଟାଡିୟମ : କ୍ରୀଡାର ବିକାଶ ପାଇଁ ନା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ?
ଜଟଣୀରୁ ଦେବପ୍ରସାଦ ଦାସ :
ସହରରେ ଖେଳର ନାହିଁ ବିକାଶର ଭିତ୍ତିଭୂମି । ଖେଳାଳିଙ୍କ ଅଭ୍ୟାସ ପାଇଁ ନାହିଁ ଉଦ୍ଦିଷ୍ଟ ଖେଳ ପଡିଆ । ୨୦୦୯ ମସିହାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଶରତ ଚନ୍ଦ୍ର ପାଇକରାୟ ପ୍ରାଣନାଥ ହାଇସ୍କୁଲ ନାମରେ ଥିବା ଜମିରେ ନିଜ ନାମରେ ପ୍ରତିଷ୍ଠା କରିଥିଲେ ‘ଶରତ ପାଇକରାୟ ଷ୍ଟାଡିୟମ’ । ଏହି ଷ୍ଟାଡିୟମ ନିର୍ମାଣରେ ପୂର୍ବତନ ବିଧାୟକ ଏବଂ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏବଂ ସରକାରୀ ଅନୁଦାନ ବ୍ୟୟ କରାଯାଇଥିଲା । ଷ୍ଟାଡିୟମ ପରିସରରେ କାର୍ଯ୍ୟାଳୟ ଏବଂ ଖେଳାଳିଙ୍କ ପାଇଁ ବ୍ୟବହାର ଉପଯୋଗୀ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲା । ପ୍ରଥମେ ଏହି ଷ୍ଟାଡିୟମରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କ୍ରୀଡାବିତ୍, ଯୁବଗୋଷ୍ଠୀ ଏବଂ ବରିଷ୍ଠ ନାଗରିକମାନେ ସକାଳ ଏବଂ ସନ୍ଧ୍ୟା ହେଲେ ପଡିଆରେ ନିଜର ସ୍ୱାସ୍ଥ୍ୟ ପାଇଁ ଭ୍ରମଣ କରୁଥିଲେ ।
୨୦୧୩ ମସିହାରେ ଏହି ପଡିଆରେ କିଛି ଯୁବ ଗୋଷ୍ଠୀ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅନୁମତି ପତ୍ର ଆଣି ଗଣେଶ ପୂଜା ସମୟରେ ଏହି ଷ୍ଟାଡିୟମରେ ୧୧ ଦିନ ଧରି ଗଣେଶ ମହୋତ୍ସବ ଅନୁଷ୍ଠିତ କରିଥିଲେ । ମୀନାବଜାର, ଯାତ୍ରା ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ଧୀରେ ଧୀରେ ଏହି ଗଣେଶ ମହୋତ୍ସବ ପାଇଁ ବିଗତ ଦିନରେ ୨ ଗୋଷ୍ଠୀ ମଧ୍ୟରେ ଜମି ଅଧିକରଣ ପାଇଁ ପ୍ରତିଯୋଗିତା ଲାଗି ଶେଷରେ ମାମଲା ଯାଇ ଉଚ୍ଚ ନାୟାଳୟରେ ବିଚାରଧୀନ ଅବସ୍ଥାରେ ଥାଇ ବିଗତ ୪/୫ ବର୍ଷ ଷ୍ଟାଡିୟମରେ ମହୋତ୍ସବ ବନ୍ଦ ହୋଇଥିଲା । ଷ୍ଟାଡିୟମରେ ମହୋତ୍ସବ ହେବା ଦିନଠାରୁ ତାର ରୂପରେଖ ସମ୍ପୂର୍ଣ ବଦଳି ଯାଇଛି । ମହୋତ୍ସବ ସରିଲାପରେ କର୍ମକର୍ତ୍ତାମାନେ ନିଜ ନିଜର ସ୍ୱାର୍ଥରେ ଅନ୍ଧ ହୋଇ ପଡିଆର ପୁନଃରୁଦ୍ଧାର କଥା ଭୁଲି ଯାଉଛନ୍ତି । ଯାହାଫଳରେ ଆଜି ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଖେଳ ପଡିଆ ସମ୍ପୂର୍ଣ୍ଣ ଦୟନୀୟ ଅବସ୍ଥାରେ ପଢି ରହିଛି । ଚଳିତ ବର୍ଷ ପୂବର୍ବାର ଗଣେଶ ପୂଜାରେ ମିନାବଜାର ପାଇଁ ପରିତ୍ୟକ୍ତ ହୋଇ ପଡିରହିଥିବା ଷ୍ଟାଡିୟମ ପ୍ରକୋଷ୍ଠକୁ ପୁନଃ ଉଦ୍ଧାର କରାଯାଇଥିଲା । ତେବେ ସେହି ମରାମତି ବାବଦକୁ ବ୍ୟୟ ଅର୍ଥ ସରକାରୀ ନା ବେସରକାରୀ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହା ନିଜସ୍ୱ ସ୍ୱାର୍ଥ ପାଇଁ ବ୍ୟବହାର ଉପଯୋଗୀ । ସମସ୍ତ ଖେଳାଳି ଏଥିରୁ ବଂଚିତ ହେଉଛନ୍ତି । ଷ୍ଟାଡିୟମ ପାଲଟିଛି ଟାଙ୍ଗରା ପଡିଆ । ପଡିଆ ଚାରିପଟ ଅନାବନା ଗଛ ସାଙ୍ଗକୁ ଖାଲଖମାରେ ପୂରିଛି ।
କିନ୍ତୁ କଳିଙ୍ଗ ଯୁବ ପରିଷଦ ତରଫରୁ ଶରତ ପାଇକରାୟ ଷ୍ଟାଡିୟମରେ ପୁନର୍ବାର ଚଳିତ ବର୍ଷ ଗଣେଶ ମହୋସôବ ପାଇଁ ଭୂମି ପୂଜନ କରାଯାଇ "ମିନାବଜାର"ଅନୁଷ୍ଠିତ କରାଗଲା । ଏଠି ପ୍ରଶ୍ନ ଉଠେ ଷ୍ଟାଡିୟମ ସହରର ସମୂହ ସ୍ୱାର୍ଥ ପାଇଁ ନା ବ୍ୟକ୍ତିଗତ ସଂଘଠନର ସ୍ୱାର୍ଥ ପାଇଁ? ଏହି ଷ୍ଟାଡିୟମ ପରିସରକୁ ଲାଗି ତିନି ତିନୋଟି ଶିକ୍ଷାନୁଷ୍ଠାନ ଯାହାଫଳରେ କୌଣସି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହେଲେ ଶବ୍ଦ ପ୍ରଦୂଷଣ ହୋଇ ଅଧୟନ ରତ ଛାତ୍ରଛାତ୍ରୀଙ୍କ ପଢାରେ ବାଧା ଉପୁଜେ । ସହରରେ ଥିବା ଅନେକ ସାମାଜିକ ଅନୁଷ୍ଠାନ କଥା ଚିନ୍ତା କରିବା ତେବେ ଜଟଣୀରେ ଖେଳର ବିକାଶ ତଥା ଅନ୍ୟାନ ଉନ୍ନତି ମୂଳକ ବିକାଶ ପାଇଁ ଚିନ୍ତା ନ କରି ନିଜ ନିଜର ସ୍ୱାର୍ଥ ପାଇଁ ଦୌଡୁଛନ୍ତି । ଜଟଣୀ ସହରର ଏକମାତ୍ର ଏହି ଷ୍ଟାଡିୟମର ବିକାଶ ଏବଂ କ୍ରୀଡ଼ାବିତଙ୍କ କ୍ରୀଡାଭ୍ୟାସ ଓ ଖେଳର ବିକାଶ କରିବା ନିମନ୍ତେ କାହାର ଚିନ୍ତା ନାହିଁ । ଭୂମି ପୂଜନରେ ନେତା ଆସିଲେ ଭାଷଣ ବାଜି କରି ଚାଲିଗଲେ । ଜଟଣୀର ବିକାଶ ତଥା ଖେଳର ଖେଳାଳିଙ୍କ ବିକାଶ କଥା ଚିନ୍ତା କରୁଛି କିଏ ?