ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ

ଭୁବନେଶ୍ୱର:   ଆଜି ଖୋଲିବ ରତ୍ନଭଣ୍ଡାର। ସେଥିପାଇଁ ଶୁଭ ମୁହୂର୍ତ୍ତ ଧାର୍ୟ୍ୟ ହୋଇସାରିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ଯାଞ୍ଚ କରାଯିବ। ବେହରଣ ଦ୍ୱାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ  କହିଛନ୍ତି, ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ। ଯାଞ୍ଚ କମିଟିରୁ ମୁଁ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବୁ। ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି।
ରତ୍ନଭଣ୍ଡାର ଖୋଲା ଯିବା ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୫ ଜଣିଆ ଓଡ୍ରାଫ ଟିମ୍‌। ହାଇମାସ୍ଟ ଲାଇଟ ଧରି ସେମାନେ ଭିତରକୁ ଯାଇଛନ୍ତି। ଶ୍ରୀମନ୍ଦିର ବାହାରେ ସ୍ନେକ ହେଲପ୍ ଲାଇନ ଟିମ୍‌ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।