କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ: ପଞ୍ଜୀକୃତ ହେବେ ୬୩ ହଜାର ଚାଷୀ 

 ଯାଜପୁର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ମାସ ଶେଷ ସୁଦ୍ଧା ଜିଲାର ୬୩ ହଜାର ଚାଷୀ ପଞ୍ଜୀକୃତ ହେବେ । ଏଦିଗରେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ଆଗାମୀ ଖରିଫ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ  ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ସମବାୟ ବ୍ୟାଙ୍କ୍ ୬୮କୋଟି ଋଣ ଯୋଗାଇ ଦେବାକୁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ଦର୍ଶାଇଥିଲେ । ଚାଷୀମାନଙ୍କ ନିମନ୍ତେ ସରକାର ବହୁତ ଯୋଜନା କରିଛନ୍ତି । କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀମାନେ ଯନôବାନ ହେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟାଙ୍କ୍ ମାନେ ଚାଷୀ ମାନଙ୍କୁ ଋଣ ଯୋଗାଇ ଦେବାକୁ ଜିଲ୍ଲାପାଳ ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା ୨୦୨୫ ମସିହା ଖରିଫ ଫସଲ ନିମନ୍ତେ ହୋଇଥିବା ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାରେ ୨୦୨୫ ମସିହା ସୁଦ୍ଧା ସମୁଦାୟ ୧୦୬୫୭୦ ହେକ୍ଟର ଜମିରେ ଧାନ ଚାଷ, ସମୁଦାୟ ୧୫୪୦ ହେକ୍ଟର ଜମିରେ ମକା ଚାଷ, ସମୁଦାୟ ୫୦୦ ହେକ୍ଟର ଜମିରେ ମିଲେଟ୍ ଚାଷ, ସମୁଦାୟ ୪୯୯୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ, ସମୁଦାୟ ୩୦୦ ହେକ୍ଟର ଜମିରେ ତୈଳ ବୀଜ ଚାଷ, ୭୯୦ ହେକ୍ଟର ଜମିରେ ଝୋଟ ଚାଷ ଏବଂ ସମୁଦାୟ ୨୦୮୦ ହେକ୍ଟର ଜମିରେ ମସଲା ଚାଷ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କଥା ଦର୍ଶାଇଥିଲେ । ସେହିପରି ୨୦୨୫ ମସିହା ସୁଦ୍ଧା ଯାଜପୁର ଜିଲ୍ଲାରେ ପ୍ରମୁଖ ଜଳ ସେଚନ, କ୍ଷୁଦ୍ର ଜଳସେଚନ, ବୃହତ୍ ଉଠା ଜଳ ସେଚନ, କ୍ଷୁଦ୍ର ଉଠା ଜଳସେଚନ ଏବଂ ଅନ୍ୟାନ୍ୟ ଉତ୍ସରୁ ସମୁଦାୟ ୧୦୭୫୭୨.୪୧ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୫- ୨୬ ମସିହା ମୃତିକା ପରୀକ୍ଷା କରାଯାଇ ବ୍ଲକ୍ ୱାରୀ ୯୬୧୪ ନମୁନା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବୈଠକରେ ଫସଲ ସୁରକ୍ଷା ଯୋଜନା, କୃଷି ଯାନ୍ତ୍ରିକକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଋଣ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।  ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ନିଦେ୍ର୍ଦଶକ, ଉଦ୍ୟାନ କୃଷି, ଅଗ୍ରଣି ବ୍ୟାଙ୍କ୍ ପରିଚାଳକ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ ।