ଅଲେଖା ଫଳକରେ ଚାଲିଛି ନିମ୍ନମାନର କାର୍ଯ୍ୟ
ଦାନଗଦୀ : କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ସର୍ବସାଧାରଣଙ୍କ ଅବଗତ ପାଇଁ ସୂଚନା ଫଳକରେ କାର୍ଯ୍ୟର ବିବରଣୀ ଦେବା ବାଧ୍ୟତା ମୂଳକ । କିନ୍ତୁ ବିନା ଫଳକରେ କାମ ଆରମ୍ଭ କରିବାରୁ ଗ୍ରାମବାସୀ ବିରୋଧ କରିବାରୁ ଠିକାଦାର ଫଳକ ଲଗାଇ ଦେଲେ । ହେଲେ ଫଳକ ଲାଗିଲା ସିନା ସେଥିରେ ସୂଚନା କିଛି ଲେଖାହେଲାନି । ଅଲେଖା ଫଳକରେ ଜିଲା ଖଣିଜ ପାଣ୍ଠିରୁ ଚାଲିଛି ବିଦ୍ୟାଳୟ ଗୃହ କାମ । ଏପରି ଏକ କାର୍ଯ୍ୟ ଦାନଗଦୀ ବ୍ଳକର ଶାଳିଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଏହି ଗାଁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନୂତନ ଶ୍ରେଣୀ ଗୃହ ନିର୍ମାଣରେ ଦେଖିବାକୁ ମିଳିଛି । ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ବ୍ଲକର ବହୁତ ଜାଗାରେ ବିଦ୍ୟାଳୟ ଗୃହ ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି । ପ୍ରାୟ ଅଧିକାଂଶ ଜାଗାରେ ଠିକାଦାର ମନମୁଖୀ କାର୍ଯ୍ୟ କରୁଛନ୍ତି । ଏଠାରେ ଠିକାଦାର ଅଲେଖା ଫଳକରେ ଜୋର ଜବରଦସ୍ତ କାର୍ଯ୍ୟ କରୁଛନ୍ତି । ଶ୍ରେଣୀ ଗୃହ ନିର୍ମାଣ କାମ ନିମ୍ନମାନର ହେଉଥିବା ଜଳଜଳ ଦେଖାଦେଉଛି । ଉକ୍ତ କାର୍ଯ୍ୟ ପାଇଁ ଠିକାଦାର ଆରମ୍ଭରୁ ନିମ୍ନମାନର ସିମେଣ୍ଟ, ରଡ ଓ କାମରେ ବ୍ୟବହାର କରୁଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୁଏ । ଏଣୁ ସମସ୍ତ ପିଲାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୁହାଛଡ଼ ୧୬ଜାଗାରେ ୧୨ଲାଗୁଛି,୧୨ଜାଗାରେ୧୦ଲାଗୁଛି, ଚିପ୍ସ ମିଶାଇ ତଳ ଢ଼ଳେଇ କରାଯାଇ ଦୁର୍ବଳ କାର୍ଯ୍ୟ ହେଉଛି । ବିଦ୍ୟାଳୟ ମୁଖ୍ୟ ଫାଟକ ରାସ୍ତାରେ ବାଲି ଓ ମେଟାଲ ପକାଇ ବିଦ୍ୟାଳୟ ରାସ୍ତା ଅବରୋଧ କରାଯାଇଛି । ଯାହା ଫଳରେ ଛାତ୍ରଛାତ୍ରୀ ଯାତାୟାତ ପାଇଁ ହଇରାଣ ହରକତ ହେଉଛନ୍ତି । ଏଠାକୁ ବିଭାଗୀୟ ଯନ୍ତ୍ରୀ ଆସୁନଥିବାରୁ ଠିକାଦାର ମନମାନିରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ଜିଲା ଖଣିଜ ପାଣ୍ଠିର କୋଟିକୋଟି ଟଙ୍କାକୁ ଲୁଟ୍ ପାଇଁ ଏକ ମିଳିତ ଯୋଜନା ହୋଇଥିବା ପରି ଜଣାପଡିଯାଉଛି । ଉକ୍ତ ଶ୍ରେଣୀ ଗୃହକାର୍ଯ୍ୟର ଅନୁଧ୍ୟାନ କରାଯାଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।