କେନ୍ଦ୍ର ସରକାରଙ୍କ ତାଗିଦ୍ : ୧୦ ମିନିଟରେ ଡେଲିଭରିକୁ ନା
ନୂଆଦିଲ୍ଲୀ : ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ତାଗିଦ୍ । ଏଣିକି ଡେଡଲାଇନ ଭିତରେ ଆଉ ବାନ୍ଧି ହୋଇ ରହିବେନି ଡେଲିଭରି ବୟ । କମ ସମୟରେ ଡେଲିଭରିକୁ ନେଇ ସମସ୍ୟାରେ ପଡୁଥିଲେ କର୍ମଚାରୀ । ଡେଲିଭରି ସମୟକୁ ନେଇ ପ୍ରତିଯୋଗିତାରେ ବଢୁଥିଲା ଅଘଟଣ । ତେଣୁ ୧୦ ମିନିଟର ଡେଲିଭରି ବ୍ୟାନର ହଟାଇବାକୁ ନିର୍ଦ୍ଦେଶ । ଏନେଇ ବ୍ଲିଙ୍କିଟ, ଜେପ୍ଟୋ, ସ୍ୱିଗି, ଜୋମାଟୋ ଆଦିକୁ ନୋଟିସ ଜାରି କରାଯାଇଛି ।
ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଗିଗ୍ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଏ । ନିକଟରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ପ୍ରମୁଖ ଅନଲାଇନ୍ ଡେଲିଭରି କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ୧୦ ମିନିଟ୍ ଡେଲିଭରି ସମୟସୀମା ଯୋଗୁଁ ଡେଲିଭରି ପାର୍ଟନରମାନଙ୍କ ଉପରେ ଚାପ ବିଷୟରେ ଗମ୍ଭୀର ଆଲୋଚନା ହୋଇଥିଲା । ସମୟ ସୀମା ଯୋଗୁଁ ଅନେକ ଡେଲିଭରି କର୍ମଚାରୀ ଦ୍ରୁତ ଗତିରେ ଗାଡ଼ି ଚଲାଇବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ଦୁର୍ଘଟଣା ବୃଦ୍ଧି ପାଇବାର ଅଭିଯୋଗ ବାରମ୍ବାର ଆସୁଛି । ବିଶେଷକରି ଡିସେମ୍ବର ୨୫ ଓ ୩୧ ତାରିଖରେ ଦେଶବ୍ୟାପୀ ଗିଗ୍ କର୍ମଚାରୀଙ୍କ ଧର୍ମଘଟ ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଶ୍ରମିକମାନେ ଦୁର୍ଘଟଣା, ଅପର୍ଯ୍ୟାପ୍ତ ବୀମା ସୁବିଧା ଓ ଅସୁରକ୍ଷିତ କାର୍ଯ୍ୟ ପରିସ୍ଥିତି ବିଷୟରେ ସ୍ୱର ଉଠାଇଥିଲେ । ପରବର୍ତ୍ତୀ ସମୟରେ ସରକାର ଏହି ସମସ୍ୟାର ସମାଧାନ ପାଇଁ ସିଧାସଳଖ ହସ୍ତକ୍ଷେପ କରିଥିଲେ । ସରକାରଙ୍କ ପରାମର୍ଶ ପରେ କମ୍ପାନୀଗୁଡ଼ିକ ବାଧ୍ୟତାମୂଳକ ୧୦ ମିନିଟ୍ ଡେଲିଭରି ସମୟକୁ ହଟାଇବାକୁ ରାଜି ହୋଇଛନ୍ତି ।
ବ୍ଲିଙ୍କିଟ୍ ପ୍ରଥମେ ଏହାର ବ୍ରାଣ୍ଡିଂରୁ ‘୧୦-ମିନିଟ୍ ଡେଲିଭରି' ଦାବିକୁ ହଟାଇ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିଥିଲା । କମ୍ପାନୀର ଟ୍ୟାଗଲାଇନ୍ ମଧ୍ୟ ପରିବର୍ତ୍ତନ କରି ‘ଆପଣଙ୍କ ଦ୍ୱାରଦେଶରେ ୩୦,୦୦୦ରୁ ଅଧିକ ଉତ୍ପାଦ ପହଞ୍ଚାଯାଇଛି' ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋରୁ ସମାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ସେବା ବନ୍ଦ କରିବା ନୁହେଁ ବରଂ ଗିଗ୍ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ, ସ୍ଥିର ଓ ମାନବିକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା । ଏହି ନିଷ୍ପତ୍ତି ପାଇଁ ଗ୍ରାହକମାନଙ୍କୁ ଟିକିଏ ଅପେକ୍ଷା କରିବାକୁ ପଡ଼ିପାରେ, କିନ୍ତୁ ଡେଲିଭରି ପାର୍ଟନରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏକ ସକାରାତ୍ମକ ଏବଂ ଆବଶ୍ୟକୀୟ ପଦକ୍ଷେପ ବୋଲି ବିବେଚନା କରାଯାଏ ।
Samir Kumar Rout