କେବେ ପେଟେଣ୍ଟ ହେବ ଶ୍ରୀମନ୍ଦିର ଶବ୍ଦାବଳୀ?
ପୁଷ୍ପମିତ୍ର ମହାପାତ୍ର :
ଶ୍ରୀ ଜଗନ୍ନାଥ ଓ ଶ୍ରୀକ୍ଷେତ୍ର ଓଡ଼ିଆ ଜାତିର ଏକ ମାତ୍ର ପରିଚୟ କହିଲେ ଅତୁ୍ୟକ୍ତି ହେବନାହିଁ । ଦାରୁବହ୍ମରୂପୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସ୍ମରଣାତୀତ କାଳରୁ ଦିବ୍ୟ ନୀଳାଚଳ ଧାମରେ ବିରାଜିତ ପୂର୍ବକ ଉପାସିତ ହୋଇ ଆସୁଛନ୍ତି । ଅବ୍ୟକ୍ତ, ଅଚିନ୍ତ୍ୟ, ଅକଳ୍ପନୀୟ ଏହି ପୂର୍ଣ୍ଣବ୍ରହ୍ମଙ୍କ ସ୍ୱରୂପ ଓ ମୌଳିକତା ସମ୍ବନେ୍ଧ ବହୁ ପୁରାଣ, କିମ୍ବଦନ୍ତୀ, ଇତିହାସ, ଗବେଷକ, ପ୍ରତ୍ନତତ୍ତ୍ୱବିତ୍ମାନେ ବହୁ ବ୍ୟାଖ୍ୟା କରିଥିଲେ ହେଁ ଏହାଙ୍କ ରହସ୍ୟ ତଥା ଅଲୌକିକତା ଏବେ ବି ଅଜ୍ଞାତ ରହିଛି । ସାଧାରଣରେ ଦେଖିବାକୁ ଗଲେ ମହାପ୍ରଭୁ ଓ ଶ୍ରୀମନ୍ଦିରର ଅନେକ ଶବ୍ଦାବଳୀ ଅନେକଙ୍କୁ ବୋଧଗମ୍ୟ ହୋଇପାରି ନଥାଏ । କାରଣ ଏହା ହେଉଛି ଅତି ପ୍ରାଚୀନ କାଳରୁ ପାରମ୍ପରିକ ପ୍ରଚଳିତ ପାରିଭାଷିକ ଶବ୍ଦ ଯାହା କେବଳ ଶ୍ରୀମନ୍ଦିରରେ ହିଁ ପ୍ରଚଳିତ । ଅର୍ଥଯୁକ୍ତ ଏକ ବା ଏକାଧିକ ଅକ୍ଷରକୁ ଶବ୍ଦ କୁହାଯାଏ । ଯାହାକୁ ଆଧାର କରି ଭାଷା ସୃଷ୍ଟି ହୋଇଥାଏ । ଆମ ନିତିଦିନିଆ ଜୀବନରେ ସଂସ୍କୃତି ଓ ସମାନ ଅର୍ଥବୋଧକ ଭାବି ଆମେମାନେ ସେହିପରି ଭାଷା ପ୍ରୟୋଗ କରିଥାଉ । ଅନେକ କ୍ଷେତ୍ରରେ ଦେଖାଯାଏ ଉଭୟ ଶବ୍ଦର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ତା ମଝିରେ ଯେ ଏକ ସୂକ୍ଷ୍ମ କିନ୍ତୁ ବ୍ୟାପକ ଅର୍ଥଗତ ପ୍ରାର୍ଥକ୍ୟର ରେଖା ରହିଅଛି । ଅଧିକାଂଶ ଆମେ ଏହାକୁ ଭୁଲିଯାଇଥାଉ । ଆମ ଯର୍ଜୁବେଦ ୭/୧୪ ଅନୁସାରେ "ସା ପ୍ରଥମା ସଂସ୍କୃତିଃ ବିଶ୍ୱତାର' ଅର୍ଥାତ୍ ପ୍ରଜାପତି ବ୍ରହ୍ମା ଯେଉଁ ସୃଷ୍ଟି ରଚନା କଲେ ତାହା ହେଉଛି ସଂସ୍କୃତି । ତେଣୁ ସଂସ୍କୃତି ମଣିଷ ଦ୍ୱାରା ସୃଷ୍ଟ ନୁହେଁ । ମନ, ମସ୍ତିଷ୍କ ସହିତ ଯୋଡ଼ ହୋଇଥିବା ଆଧ୍ୟାତ୍ମିକ, ଓ ଅଲୌକିକ, ପାରମ୍ପରିକ, ଅପରିବର୍ତ୍ତନୀୟ ଜ୍ଞାନ ହିଁ ସଂସ୍କୃତି । ଅନ୍ୟପକ୍ଷରେ ଭୌତିକତା ଉପରେ ଆଧାରିତ ମଣିଷ ବୌଦ୍ଧିକ ଜ୍ଞାନକେନ୍ଦ୍ରିକ ଓ ପରିବର୍ତ୍ତନଶୀଳ ବ୍ୟବସ୍ଥା ହିଁ ସଭ୍ୟତା । ଯୁଗଧର୍ମର ପ୍ରଭାବରେ ମଣିଷର ଆବଶ୍ୟକତା ଅନୁସାରେ ସଭ୍ୟତା ବଦଳି ଚାଲିଥିଲେ ମଧ୍ୟ ସଂସ୍କୃତି ଅପରିବର୍ତ୍ତିତ ହୋଇ ରହିଥାଏ ।
ଶ୍ରୀମନ୍ଦିର ଏହାର ନାଁ ଯେପରି ଅନନ୍ୟ ନୀତିକାନ୍ତି ମଧ୍ୟ ଅନ୍ୟ ସମସ୍ତ ମନ୍ଦିର ଠାରୁ ଭିନ୍ନ । ଓଡ଼ିଆ ସାହିତ୍ୟରେ ଏଠାରେ ପ୍ରଚଳିତ ଶବ୍ଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ତେଣୁ ଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀର ସ୍ୱତନ୍ତ୍ରତା ଯେପରି ବଜାୟ ରହିବ, ସେ ଦିଗରେ ଉଦ୍ୟମ ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ । ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଯାହା ବି ଶବ୍ଦାବଳୀ ରହିଛି ତାହା ପେଟେଣ୍ଟ କରାଯିବାକୁ ନିଆଯାଇଛି ନିଷ୍ପତ୍ତି । ଯେପରିକି ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ମହାପ୍ରସାଦ, ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ, ଶ୍ରୀଜଗନ୍ନାଥଙ୍କ ଲୋଗୋ ଭଳି ସମସ୍ତ ଶବ୍ଦକୁ ପେଟେଣ୍ଟ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ନାଁ, ନୀତିକାନ୍ତି ସହ ଜଡ଼ିତ କୌଣସି ଶବ୍ଦର ଯେପରି ଅନ୍ୟ କୌଣସି ଉଦେ୍ଦଶ୍ୟରେ ବ୍ୟବହାର ନହେବ ସେ ନେଇ ପେଟେଣ୍ଟ ପ୍ରସ୍ତାବକୁ ନିକଟରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ପାଟେଣ୍ଟ ହୋଇ ନଥିବାରୁ ବିଭିନ୍ନ ଅନଲାଇନ ସପିଙ୍ଗ କମ୍ପାନୀ ଅମାନିଆ ହେଉଛନ୍ତି । ସେମାନେ ମହାପ୍ରଭୁଙ୍କ ନୀତିକାନ୍ତି ସହ ବିଭିନ୍ନ ଦ୍ରବ୍ୟ ଯେପରିକି ମହାପ୍ରସାଦ, ଶୁଖିଲା ଭୋଗ, ପତିତପାବନ ବାନା ଆଦିକୁ ଅନଲାଇନରେ ବିକ୍ରି କରୁଛନ୍ତି । ଏହାଦ୍ୱାରା ଏହି ସବୁ ପବିତ୍ରତା ନଷ୍ଟ ହେଉଥିବା ଅଭିଯୋଗ ଉଠିଛି । ଏଠାରେ ସୂଚୀତ କରୁଛୁ କି ଯେ ପୂର୍ବରୁ ଲିଙ୍ଗରାଜ ମନ୍ଦିର ଶବ୍ଦାବଳୀ, କେଉଁଝର ଶବ୍ଦାବଳୀ, କେଉଁଝର ବଳଦେବଜୀଉ ଶବ୍ଦାବଳୀ, ପୁରୀ ରାଜନଅର ଶବ୍ଦାବଳୀ, ରଣପୁର ରାଜନହର ଶବ୍ଦାବଳୀ, ନିଆଳି ମାଧବ ଶବ୍ଦାବଳୀ, ଗଞ୍ଜାମ ଶବ୍ଦାବଳୀ ଭଳି ଗ୍ରନ୍ଥମାନ ଏହାକ ପୂର୍ବରୁ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି । ମହାପ୍ରଭୁଙ୍କ ପ୍ରତି ବିଶ୍ୱବ୍ୟାପୀ ଭକ୍ତଙ୍କ ଗଭୀର ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ ରହିଛି । ଅନେକ ସମୟରେ ଭକ୍ତଙ୍କ ଭାବାବେଗର ଫାଇଦା ଉଠାଇଛନ୍ତି ଅନେକ ବ୍ୟକ୍ତି । ସେମାନେ ମହାପ୍ରଭୁଙ୍କ ନାଁ ଯୋଡ଼ି ବ୍ୟକ୍ତିଗତ ଭାବେ ଲାଭବାନ ହେଉଥିବା ଅନେକ ନଜିର ରହିଛି । ବିଭିନ୍ନ ଅନଲାଇନ ସପିଙ୍ଗ କମ୍ପାନୀ, ମହାପ୍ରସାଦ, ଶୁଖିଲି ଭୋଗ, ନୀଳଚକ୍ର ବାନା ବିକ୍ରି କରୁଛନ୍ତି । ଅନଲାଇନରେ ଏଭଳି ଶବ୍ଦ କିମ୍ବା ଫଟୋର ବ୍ୟବହାର ନ କରିବାକୁ କୁହାଯାଇଛି । କିନ୍ତୁ ଏଯାଏ ଆଇନ ହୋଇନାହିଁ କି ପେଟେଣ୍ଟ ହୋଇ ନଥିବାରୁ କିଛି ବ୍ୟବସାୟଖୋର ବ୍ୟକ୍ତି ବିଶେଷ ଏହାର ଫାଇଦା ଉଠାଇ ମନଇଛା ଭକ୍ତଙ୍କ ଭାବାବେଗକୁ ବ୍ୟବସାୟର ଅସ୍ତ୍ର ସଜାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ କ୍ଷେତ୍ରରେ ଏକ ସିଣ୍ଡିକେଟ କାମ କରୁଛି । କୌଣସି ବ୍ୟକ୍ତି ବିଶେଷ ଅର୍ଡ଼ର ଅନଲାଇନରେ ଗ୍ରହଣ କରି ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଗ୍ରାହକଙ୍କ ପାଖରେ ପହଞ୍ଚାଇବା କଷ୍ଟକର ବ୍ୟାପାର । ସମ୍ଭବତଃ ଉକ୍ତ ଅନଲାଇନ ସଂସ୍ଥା ଏଠାରେ କିଛି ବ୍ୟକ୍ତିଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରିଛି । ସେମାନେ ଏଠାରୁ ମହାପ୍ରସାଦ ନେଇ କୌଣସି ଯାନବାହନରେ ପଠାଉଛନ୍ତି । ମାତ୍ର ଅର୍ଡ଼ର କରିଥିବା ବ୍ୟକ୍ତି ଯେ ବାସ୍ତବରେ ଶ୍ରୀମନ୍ଦିରର ମହାପ୍ରସାଦ ଅର୍ଡ଼ର କରି ପାଉଛି, ସେଥିରେ କିଛି ଗ୍ୟାରେଣ୍ଟି ନାହିଁ । ଅନ୍ୟପକ୍ଷରେ ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କୁ ଏକ ପ୍ରକାର ଶୋଷଣ କରାଯାଉଛି ବୋଲି କୁହାଯାଇପାରିବ । କାରଣ ଏକ ଅନଲାଇନ କମ୍ପାନୀ ପତିତପାବନ ବାନା ମୂଲ୍ୟ ଯାହା ରଖିଛି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏଥିରେ କମ୍ପାନୀ ପକ୍ଷରୁ ବିଭିନ୍ନ ସାଇଜର ପତାକା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ରହିଛି । ଗୋଟିଏ ୭୦୧ ଟଙ୍କା, ଗୋଟିଏ ୧୫୪୯ ଟଙ୍କା, ଗୋଟିଏ ୧୪୯୮ ଟଙ୍କା ରଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା କେନ୍ଦ୍ରରେ ସବୁଠୁ ବଡ଼ ବାନା (ନୀଳଚକ୍ରର ଅଗ୍ରଭାଗରେ ଲାଗୁଥିବା ୧୪ ହାତିଆ) ୩୦୦ଟଙ୍କାରେ ବିକ୍ରି ହେଉଥିବାବେଳେ କମ୍ପାନୀ ପ୍ରାୟ ୫ରୁ ୬ ଗୁଣା ଅଧିକରେ ବିକ୍ରି କରୁଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମନ୍ଦିର ପତିତପାବନ ବାନା କହି ଯେଉଁ ପତାକା ବା ଧ୍ୱଜା ବିକ୍ରି କରାଯାଉଛି ବାସ୍ତବରେ ତା'ର ସଠିକତା ଓ ଶୁଦ୍ଧତା କିଏ ପରଖୁଛି । ଏହା ଶ୍ରୀମନ୍ଦିର ବାନା ନା ବାହାରର ତାହାର ସଠିକତା କ'ଣ? ବିଗତ ଦିନରେ ଏମିତି ଅନେକ ଜିନିଷ ମହାପ୍ରଭୁଙ୍କ ନାଁ ଯୋଡ଼ି ବିକ୍ରି କରାଯିବାର ନଜିର ରହିଛି । ସେହିପରି ମହାପ୍ରସାଦ, ଶୁଖିଲି ଭୋଗ ମଧ୍ୟ ଅଧିକ ଦାମରେ ବିକ୍ରି କରାଯାଉଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଶବ୍ଦାବଳୀର ପେଟେଣ୍ଟ ହେବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଯାଏ ହୋଇ ନଥିବାରୁ ଶ୍ରୀମନ୍ଦିର ଶବ୍ଦାବଳୀର ବ୍ୟବହାର କରୁଥିବା ଅନୁଷ୍ଠାନ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ । ଶ୍ରୀ ମନ୍ଦିରର ପ୍ରଶାସନ ଏ କ୍ଷେତ୍ରରେ କଠୋରତମ ନୀତି ଅବଲମ୍ବନ କରିବା ଦ୍ୱାରା ଅସାମାଜିକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଦୁରୁପଯୋଗ କରିପାରିବେ ନାହିଁ ।
ମୋ : ୯୪୩୭୨୨୫୬୮୯