ସାମଗ୍ରିକ ବିକାଶ ଓ "ପେସା' ଆଇନ


"ପେସା' ଆଇନଟି ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ଆଦିବାସୀ ବର୍ଗଙ୍କ ପାଇଁ ହୋଇଥିବାବେଳେ ଏବଂ ଆମ ଓଡ଼ିଶାର ପାଖାପାଖି ଏକ କୋଟିରୁ ଊଦ୍ଧ୍ୱର୍ ଆଦିମ ଜନଜାତିଙ୍କ ଭିତରୁ ତଫସିଲଭୁକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୬୦ଲକ୍ଷ ଆଦିବାସୀ ଉପକୃତ ହୋଇପାରିବେ, କିନ୍ତୁ ଏଯାବତ୍ ଏହି ଆଇନଟି କେବଳ ପ୍ରଣୟନ ହେବାର ୨୯ ବର୍ଷ ଅତିକ୍ରମ କରିବାକୁ ଯାଉଥିଲେ ମଧ୍ୟ ବାସ୍ତବ ଢ଼ଙ୍ଗରେ ଏହି ଆଇନର ସଫଳ ରୂପାୟନ ପାଇଁ ସରକାରୀ ଭାବେ ଧାର୍ଯ୍ୟ ନିୟମ ହୋଇପାରିନାହିଁ । ତଥ୍ୟ ଅନୁଯାୟୀ ୨୦୨୩ରେ ଓଡ଼ିଶା ସରକାର ଏକ ଚିଠା ପ୍ରସ୍ତୁତ କରିଥିଲେ ଏବଂ ପରେ ଅର୍ଥାତ୍ ୨୦୨୪ରେ, ଆଦିବାସୀ ନେତା ଓ ଅନ୍ୟ ମାନଙ୍କ ଜନ ଶୁଣାଣିର ବ୍ୟବସ୍ଥା ହୋଇଥିଲା କିନ୍ତୁ ଏହି ଆଇନଟି ସେହିପରି ସରକାରଙ୍କ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ତେବେ ପ୍ରସଙ୍ଗ ହେଉଛି ଭାରତର ଯେଉଁ ଦଶଟି ରାଜ୍ୟ, ଯେଉଁମାନେ କି ପଞ୍ଚମ ତଫସିଲ ଅନ୍ତର୍ଭୁକ୍ତ ସେଥି ଭିତରୁ କେବଳ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟମାନେ ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା, ନିୟମ ପ୍ରଣୟନ କରିସାରିଛନ୍ତି ।  କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୯୬ରେ ‘ପ୍ରୋଭିଜନ୍ସ ଅଫ ପଞ୍ଚାୟତ ଏକସଟେନସନ ଟୁ ସିଡୁ୍ୟଲଡ଼ ଏରିଆଜ ଆକ୍ଟ’ ବା ପେସା ଆଇନ ପ୍ରଣୀତ ହେବା ପରେ ଓଡ଼ିଶାର ଗ୍ରାମ ପଞ୍ଚାୟତ ଆଇନ, ୧୯୬୪, ପଞ୍ଚାୟତ ସମିତି ଆଇନ, ୧୯୫୯ ଓ ଜିଲ୍ଲା ପରିଷଦ ଆଇନ, ୧୯୯୧ରେ ପେସା ଆଇନର ପ୍ରାବଧାନଗୁନିକ ଅନ୍ତର୍ଭୁକ୍ତ କରାଗଲା । ସମ୍ବିଧାନର ପଞ୍ଚମ ତଫସିଲ ଅନ୍ତର୍ଗତ ୧୦ଟି ରାଜ୍ୟର ଆଦିବାସୀ ବହୁଳ ତଫସିଲଭୁକ୍ତ ଅଞ୍ଚଳରେ ଏହି ଆଇନ କାର୍ଯ୍ୟକାରୀ ହେଉଛି । ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଓ ରାୟଗଡ଼ା ଭଳି ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଓ ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ବ୍ଲକ ବା ତହସିଲକୁ ତଫସିଲଭୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ରାଜ୍ୟର ସମୁଦାୟ ୩୧୪ଟି ବ୍ଲକ ମଧ୍ୟରୁ ୧୧୮ଟି ବ୍ଲକ ସମ୍ପୂର୍ଣ୍ଣ ଭାବେ ଓ ୩ଟି ବ୍ଲକ ଆଂଶିକ ଭାବେ ତଫସିଲଭୁକ୍ତ ଅଞ୍ଚଳ । ଏହାର ଅର୍ଥ ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪୫% ତଫସିଲଭୁକ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଯେଉଁଠି ରାଜ୍ୟର ସମୁଦାୟ ଆଦିବାସୀ ଜନସଂଖ୍ୟାର ପ୍ରାୟ ୬୮% ବସବାସ କରନ୍ତି । ଏହି ସମସ୍ତ ଅଞ୍ଚଳରେ ପେସା ଆଇନ ଲାଗୁ ହେବା ଏକ ସମ୍ବିଧାନିକ ଆବଶ୍ୟକତା ହୋଇଥିବାରୁ ଏହା ଶୀଘ୍ର କାର୍ଯ୍ୟକାରୀ ହେବା ଗୁରୁତ୍ୱପୂର୍ଣ୍ଣ । 
ମୂଳକଥା ହେଉଛି ଏଯାବତ୍ ଗ୍ରାମସଭା ପରିଚାଳନାରେ ବାବୁରାଜଙ୍କ ଗୁରୁତ୍ୱ ରହିଛି । ପେସା ଆଇନ କାର୍ଯ୍ୟକାରୀ ହେଲେ ସେମାନଙ୍କ ପ୍ରଭାବ ହ୍ରାସ ପାଇବା ସହ ଜମି ଅଧିଗ୍ରହଣ କାର୍ଯ୍ୟ ଆଉ ସହଜ ହେବନାହିଁ । ସେହିପରି ଲଘୁ ଖଣିଜ ଦ୍ରବ୍ୟର ଲାଇସେନସ ପ୍ରଦାନ ଭଳି କ୍ଷମତା ହାତରୁ ଚାଲିଯିବାର ଭୟ ମଧ୍ୟ ରହିଛି । ପେସା ଆଇନ ପ୍ରସଙ୍ଗରେ ମାନବ୍ୟର ହାଇକୋର୍ଟଙ୍କ ପାଖରେ ଅନେକ ଆବେଦନ ପଡ଼ି ରହିଛି । ଓଡ଼ିଶା ପରି ଏକ ଖଣିଜ ଓ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଯେଉଁଠି କେବଳ ଖଣିଜ ପଦାର୍ଥରୁ ସରକାର ବର୍ଷକୁ ପାଖାପାଖି ୫୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ରାଜସ୍ୱ ପାଉଛନ୍ତି ଏବଂ ରାଜସ୍ୱ ବଢ଼ାଇବା କ୍ଷେତ୍ରରେ ତଥା ରାଜ୍ୟରେ ପୁଞ୍ଜିବିିନିଯୋଗ କ୍ଷେତ୍ରରେ ପୁଞ୍ଜିପତି, ଖଣି ମାଲିକ ଓ ଶିଳ୍ପପତି ମାନଙ୍କ ଉଭୟ ଅବଦାନ ଓ ଯୋଗଦାନ ରହୁଥିବାରୁ ଆଦିବାସୀଙ୍କ ଅଧିକାର ସୁରକ୍ଷା ଓ ପରିବେଶ ଆଇନର କଠୋର ଅନୁପାଳନ ହେବାର ଆଶଙ୍କା ଥିବାରୁ ପେସା ଆଇନକୁ ବିଳମ୍ବିତ ତଥା ଗ୍ରାମ ସଭାର କ୍ଷମତାକୁ ଅଣଦେଖା କରାଯିବା ପାଇଁ ଯୋଜନା ହେଉଥିବାର ଅଭିଯୋଗ ବି ଉଠୁଛି । ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଯେଉଁପରି ପ୍ରଗତି ପାଇଁ ଖଣି ଖୋଳା ଯାଉଛି ବିସ୍ଥାପନ ଏହାର ଏକ ବଡ଼ ସମସ୍ୟା । ଶକ୍ତିଶାଳୀ ଖଣି ଓ ଶିଳ୍ପଲବି ମଧ୍ୟ ଏ କ୍ଷେତ୍ରରେ ବଡ଼ କାର୍ଯ୍ୟ କରୁଛି ।ଲଘୁ ବନଜାତ ଦ୍ରବ୍ୟର ମାଲିକାନା ଠାରୁ ଖଣି ପାଇଁ ଲାଇସେନ୍ସ, ଏ ସବୁ ଗ୍ରାମସଭା ଦ୍ୱାରା ନିୟନ୍ତ୍ରିତ ହେବ ଏବଂ ଗ୍ରାମ ସଭାର ଅନୁମୋଦନ ହିଁ ଯେକୌଣସି ଉପରୋକ୍ତ ପ୍ରକଳ୍ପ ପାଇଁ ଗୁରୁତ୍ୱ ପାଇବ । ଏବେ ବି ଓଡ଼ିଶାର ଏହି ନିରୀହ ଆଦିବାସୀମାନେ ଖଣି ପ୍ରଭାବଶାଳୀ, ଅଦୃଶ୍ୟ ଶକ୍ତିଶାଳୀ ବ୍ୟକ୍ତି, ମହାଜନଙ୍କ ଠାରୁ ଯେଉଁ ଶୋଷିତ ନିର୍ଯାତିତ ହେଉଛନ୍ତି ତାହା ଉପରେ ଅଙ୍କୁଶ ଲାଗିପାରିବ । ଏହି ପେସା ଆଇନ ହିଁ ଆଦିବାସୀମାନଙ୍କ ନିଜସ୍ୱ ଜୀବନ ଧାରଣାର ମାନ ବଢ଼ାଇ ପାରିବ । ସେମାନଙ୍କର ଦାରିଦ୍ର୍ୟ ଦୂର କରିବା ପାଇଁ ଏହା ବଡ଼ ସୁରକ୍ଷା କବଚ ସାଜିବ । ତେଣୁ ଜନସ୍ୱାର୍ଥ କୈନ୍ଦ୍ରିକ ବିକାଶ କ୍ଷେତ୍ରରେ ପେସା ଆଇନ ନିଶ୍ଚିନ୍ତ ଭାବରେ ଓଡ଼ିଶାର ଆଦିବାସୀ ସମାଜର ସାମଗ୍ରିକ ହିତ ପାଇଁ ଯେ କାର୍ଯ୍ୟ କରିବ ଏହା ସମସ୍ତଙ୍କୁ ଜଣା । ଏ ନେଇ ରାଜନୈତିକ ଇଛାଶକ୍ତି ସବୁଠାରୁ ବଡ଼କଥା । 
ଯୁଧିଷ୍ଠିର ମହାରଣା,କଟକ