କେବେ ମିଳିବ ଝରଣାଙ୍କୁ ପକ୍କା ଘର?
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଦୋଳପଦୀ ଗ୍ରାମର ଝରଣା ଜେନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳୁନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ଗ୍ରାମର ପିତବାସ ଜେନାଙ୍କ ପତ୍ନୀ ଝରଣା ଜେନା ଜଣେ ଅନୁସୂଚିତ ଜାତିର ଗରିବ ଶ୍ରେଣୀର ମହିଳା ଅଟନ୍ତି । ସାମାନ୍ୟ ଘର ତଳିରେ ଚାଳଛପର ଘରେ ସେ ପରିବାର ସହ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଗତ ବାତ୍ୟାରେ ତାଙ୍କର ଘର ଭାଙ୍ଗି ଯିବା ଫଳରେ ସେ ଖରା, ବର୍ଷା ଓ ଶୀତରେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ପକ୍କା ଘର ଖଣ୍ଡିଏ ନଥିବାରୁ ସେ ଗତ ଜାନୁଆରୀ ମାସରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ବିଡିଓଙ୍କୁ ଡାକ ଯୋଗେ ଗୁହାରି କରିଥିଲେ । ଏ ପର୍ଯ୍ୟନ୍ତ ତାଙ୍କୁ ପକ୍କା ଘର ମିଳିନଥିବା ସେ କହିଛନ୍ତି । ଶେଷରେ ସେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଡାକ ଯୋଗେ ଅଭିଯୋଗ କରିଥିବା ଜଣାଯାଇଛି । ତେବେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।