ଭିକ୍ଷାବୃତ୍ତି କରି ପରିବାର ପୋଷୁଛନ୍ତି ସୁରେଶ 


ରାଜନଗରରୁ ବସନ୍ତ ହାତୀ :  ଭାଗ୍ୟର ବିପର୍ଯ୍ୟୟ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ଧରି ଆସେ । ଭଲ ମଣିଷଟିର ବଦଳି ଯାଏ ଜୀବନର ଚିତ୍ର । ଅନ୍ୟକୁ ଦୟା ଦେଖାଉଥିବା ମଣିଷ ଦିନେ ଅନ୍ୟର ଦୟାର ପାତ୍ର ସାଜେ । ଏପରି ଏକ ମଣିଷ ହେଉଛନ୍ତି ସୁରେଶ ସେଠୀ । ଜମିବାଡି ବୋଲି କିଛି ନାହିଁ । ଘର ଖଣ୍ଡିକ କହିଲେ ଭଙ୍ଗା ଆଜବେଷ୍ଟ ପକାଯାଇଥିବା ବଖରାଏ । ସାମାନ୍ୟ ବର୍ଷା ହେଲେ ଘର ଭିତରେ ପାଣି ଜମି ଯାଏ । ବଖରାଏ ଘର ଭିତରେ ରୋଷେଇ କରିବା ସହିତ ଦୁଇ ପୁଅ ଓ ଝିଅଙ୍କୁ ନେଇ ଦିନ ବିତୁଛି ସୁରେଶଙ୍କର । ସକାଳ ହେଲେ ବଡପୁଅକୁ ଧରି ଭିକ ମାଗିବାକୁ ଗାଁଗୁଡିକୁ ଚାଲି ଯାଆନ୍ତି । କାମ କରିବା ତ ଦୂରର କଥା ଚାଲିବା ମଧ୍ୟ ତାଙ୍କ ପକ୍ଷରେ କଷ୍ଟର ହୋଇପଡିଛି । ଏପରି ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି, ରାଜନଗର ବ୍ଲକ୍ ଓସ୍ତିଆ ଗାଁର ସୁରେଶ ସେଠୀ(୩୨) । ପେଷାରେ ସେ ଥିଲେ ଜଣେ ବୁଲା ବେପାରୀ । ପ୍ରତିଦିନ ଲୁନାରେ ରସୁଣ, ପିଆଜ ପ୍ରଭୃତି ବିଭିନ୍ନ ରାସନ ସାମଗ୍ରୀ ଲଦି ଗାଁକୁ ଗାଁ ବୁଲି ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ ।
୨୦୧୮ ମସିହାରେ ବେପାର ସାରି ଘରକୁ ଫେରୁଥିବା ବେଳେ ହଂସିଣା ସେତୁ ନିକଟରେ ଏକ ଟ୍ରକ ସହିତ  ସହିତ ଧକ୍କା ହୋଇଥିଲା । ଫଳରେ ନିଜ ଲୁନା ସହ ରାସ୍ତାର ପ୍ରାୟ ୧୫ଫୁଟ ତଳକୁ ଛିଟିକି ପଡିଥିଲେ । ତାଙ୍କ ଗୋଡ ଭାଙ୍ଗି ଯିବା ସହିତ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ବହୁଦିନ ଚିକିସôିତ ହେବା ପରେ ସେ ସୁସ୍ଥ ହେଲେ ସିନା କାମଧନ୍ଦା ତ ଦୂରର କଥା, ଚାଲିବା ତାଙ୍କ ପକ୍ଷରେ ଏବେ କଷ୍ଟକର ହୋଇପଡିଛି ।
ଏପରି ଅବସ୍ଥାରେ ତାଙ୍କ ସ୍ତ୍ରୀ ତିନୋଟି ପିଲାଙ୍କୁ ତାଙ୍କ ପାଖରେ ଛାଡିଦେଇ ରୋଜଗାର ନାଁରେ ଘର ଛାଡି ଚାଲିଗଲେ । ଏପରି ଅବସ୍ଥାରେ ନିଜେ କିପରି ବଞ୍ଚôବେ ଓ ତିନୋଟି ପିଲାଙ୍କୁ ମୁହଁରେ ଆହାର ଦେଇ ସେମାନଙ୍କୁ କିପରି ମଣିଷ କରିବେ । ରାତି ପାହିଲେ ବଡପୁଅ ସହାଯ୍ୟରେ ପାଖ ଗାଁକୁ ଯାଇ ଭିକ ମାଗିବାକୁ ଚାଲିଯାନ୍ତି । ଯାହା ମିଳିଲା ସେଥିରେ ପିଲାମାନଙ୍କ ସହ ଦୁଃଖ କଷ୍ଟରେ ଚଳୁଛନ୍ତି । ଘରୁ ବାହାରିଲେ ଟଙ୍କାଟିଏ ନାହିଁ । ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ମାତ୍ର ଏଯାବତ୍ କୌଣସି ସାହାଯ୍ୟ ମିଳିନାହିଁ କି କୌଣସି ଅଧିକାରୀ ତାଙ୍କ ଘର ନିକଟକୁ ଯାଇନାହାନ୍ତି । ସୁରେଶ ନିଜର ଦୁଃଖ ବଖାଣିବା ବେଳେ କାନ୍ଦି ପକାଉଥିଲେ । ବଖରାଏ ଘରେ ଚାରିପ୍ରାଣୀ ରୋଷେଇବାସ କରିବା ସହ ରହି ଆସୁଛୁ । ଆଜବେଷ୍ଟ ଭାଙ୍ଗି ଯାଇଛି । ପିଲାମାନଙ୍କୁ ପାଠ ପଢାଇ ମଣିଷ କରିବାର ସ୍ୱପ୍ନ ମଉଳି ଯାଉଛି । ତାଙ୍କ ମୁହଁରେ ଦାନା ଦେବା ପାଇଁ ବାପ ହିସାବରେ ମୁଁ ଯେତେବେଳେ ଅସମର୍ଥ ଓ ଅନ୍ୟର ଦୟା ଉପରେ ନିର୍ଭର କରୁଛି । ସେମାନଙ୍କ ପାଠପଢା କଥା ଭାବିବି କେମିତି? ସରକାର ଯଦି ଦୟା କରନ୍ତେ ପିଲାମାନେ ମୁଠାଏ ଖାଇ ଟିକେ ମୁଣ୍ଡ ଗୁଂଜିବା ସହ ଦି ଅକ୍ଷର ପାଠ ପଢି ଭଲ ମଣିସ ହେଇପାରନ୍ତେ ।