ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏମ୍ସ କର୍ତ୍ତୃପକ୍ଷ : ‘ଏମ୍ସର ବିକାଶ ପାଇଁ ସରକାର ପ୍ରତିବଦ୍ଧ’

ଭୁବନେଶ୍ୱର  : ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏମ୍ସ ସମ୍ପ୍ରସାରଣ ବିଷୟରେ ଆଲୋଚନା କରିଛନ୍ତି । ଗତକାଲି ଲୋକସେବା ଭବନରେ ଉଭୟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ଏମ୍ସର ଭିତ୍ତିଭୂମିକୁ ଆହୁରି କିପରି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ଏ ଅବସରରେ ଡ. ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ସହିତ ରୋଗୀ ସେବା, ଚିକିତ୍ସା ବିଜ୍ଞାନ ଏବଂ ଅନୁଷ୍ଠାନର ସମ୍ପ୍ରସାରଣ ଉପରେ ଧ୍ୟାନ ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ବିଷୟ ଉପସ୍ଥାପନା କରିଥିଲେ । ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଚାହିଦା ପୂରଣ କରିବା ପାଇଁ ଏମ୍ସ ଭୁବନେଶ୍ୱରର ସମ୍ପ୍ରସାରଣ ପାଇଁ ଅତିରିକ୍ତ ଜମି ଯୋଗାଇବା ପ୍ରମୁଖ ପ୍ରସଙ୍ଗ ଥିଲା । ଉନ୍ନତ ସହରାଞ୍ଚଳ ସେବା ଏବଂ ନାଗରିକ ସହାୟତା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ଏମ୍ସ ଭୁବନେଶ୍ୱରକୁ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠାନର ପ୍ରୟାସକୁ ପ୍ରଶଂସା କରିବା ସହ ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ସ୍ୱାସ୍ଥ୍ୟସେବା ପ୍ରଦାନକୁ ପରିବର୍ତ୍ତନ କରିବାରେ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାରେ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ ।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ଙ୍କୁ ମଧ୍ୟ ଭେଟି ଜାତୀୟ ପ୍ରତିଷ୍ଠାନର ବ୍ୟାପକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।