କ୍ରେଡିଟ୍ କୋ-ଅପରେଟିଭ ସୋସାଇଟର ରୌପ୍ୟ ଜୟନ୍ତୀ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତଥା ଅବିଭକ୍ତ କଟକ ଜିଲ୍ଲାର ଜଣାଶୁଣା ସମବାୟ ଅନୁଷ୍ଠାନ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ ଲିଃ ୨୫ ବର୍ଷରେ ପଦାର୍ପଣ କରିଛି । ଏନେଇ ଶୁକ୍ରବାର କେନ୍ଦ୍ରାପଡା ସହରର ବାୟାମଠ ନିକଟରେ ଥିବା ଟେଲିକମ ଗ୍ରାଉଣ୍ଡରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୋସାଇଟ ପ୍ରତିଷ୍ଠାତା ସଭାପତି ସମାଜସେବୀ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମବାୟବିତ୍ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ସମୀର କୁମାର ମହାନ୍ତିି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅବସରପ୍ରାପ୍ତ ଆଇ.ଏ.ଏସ ଅଧିକାରୀ ତଥା ପ୍ରାକ୍ତନ ସମବାୟ ରେଜିଷ୍ଟାର ସୁଦର୍ଶନ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମବାୟ ଆନେ୍ଦାଳନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ ଦେଶର ବିକାଶରେ ସମବାୟ ର ଭୂମିକା ଉପରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ସମ୍ମାନୀୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଓ ବରିଷ୍ଠ ଆଇନଜୀବି ବୈଦ୍ୟନାଥ ଚାଟାର୍ଜୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସୋସାଇଟର ସମ୍ପାଦକ ପ୍ରହଲ୍ଲାଦ ସାହୁ ବାର୍ଷିକ ବିବରଣୀ ଓ ସୋସାଇଟର ଆୟବ୍ୟୟ ସମ୍ବନ୍ଧରେ ସୂଚନା ଦେଇ ସୋସାଇଟରେ ବର୍ତମାନ ୧ଲକ୍ଷ ୫୬ ହଜାର ସଦସ୍ୟ ଥିବା ଓ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟବସାୟ କରାଯାଉଥିବା ଓ ୬୮ କୋଟି ଟଙ୍କା ଋଣ ପ୍ରଦାନ କରା ଯାଇଥିବା ସୂଚନା ଦେଇଥିଲେ । ସଂଘର୍ଷ ବିନା ସଫଳତା ମିଳେନା ଓ କୃଷି ଓ ଶିଳ୍ପର ବିକାଶରେ ରାଜ୍ୟର ବିକାଶ ସମ୍ଭବ ବୋଲି ନିଜ ଅଭିଭାଷଣ ରେ ସଭାପତି ସାହୁ ସୂଚନା ଦେଇଥିଲେ । ଏହି ଅବସର ରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ୧୪ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ନ୍ଧିତ କରାଯାଇ ଥିଲା । ଉପ ସଭାନେତ୍ରୀ ସବାନା ପରୱିନ ମଂଚାସୀନ ଥିବାବେଳେ ଅତିରିକ୍ତ ସଂପାଦକ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ନିଦେ୍ର୍ଦଶକ ମଣ୍ଡଳୀ, ଅଂଶୀଦାର, ସଭ୍ୟ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।