ଅଧାପନ୍ତରିଆ ସ୍କୁଲ ରୂପାନ୍ତରୀକରଣ  ଜଣେ ଶିକ୍ଷକରେ ଚାଲିଛି ସ୍କୁଲ

ରାଜନଗର: ରାଜ୍ୟ ସରକାର ସ୍କୁଲ ରୂପାନ୍ତରଣକୁ ପ୍ରାଧାନ୍ୟ ଦେଇ ଭିତ୍ତିଭୂମିର ବିକାଶ ପାଇଁ ବହୁ ଲକ୍ଷ ଟଙ୍କା ମଞ୍ଜୁର କଲେ । ସ୍କୁଲ ଭିତ୍ତିଭୂମିର ବିକାଶ ହେଲେ ଛାତ୍ରଛାତ୍ରୀମାନେ ପାଠପଢିବା ପାଇଁ ଆକୃଷ୍ଟ ହେବେ । ଏଥିରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ୍, ଶୌଚାଳୟ, କମ୍ପୁ୍ୟଟର ଶ୍ରେଣୀଗୃହ, ପାନୀୟଜଳର ସୁବିଧା କରାଯିବା ପାଇଁ ଅଧ କୋଟି ଟଙ୍କା ବ୍ୟୟବରାଦ କରାଯାଇ ରୂପାନ୍ତରୀକରଣ କାର୍ଯ୍ୟ କରାଗଲା । କେବଳ ରଙ୍ଗମାରି କେତୋଟି କମ୍ପୁ୍ୟଟର ଥୋଇ ଦେଇ ସବୁ ଟଙ୍କା ହରିଲୁଟ କରି ଦେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ଏହି ରୂପାନ୍ତରଣ କାର୍ଯ୍ୟ । ବ୍ଲକ୍ ପ୍ରଶାସନକୁ ପ୍ରଧାନଶିକ୍ଷକ ଓ ଅଭିଭାବକ ଅଭିଯୋଗ କରିଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଯନ୍ତ୍ରୀ ଶୁଣିବାକୁ ନାରାଜ । ଏପରିକି ଏହି ସ୍କୁଲର ଅବସ୍ଥା ଏପରି ହୋଇଛି ଯେ, ଜଣେ ମାତ୍ର ଶିକ୍ଷକରେ ଚାଲିଛି ପାଠପଢା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜନଗର ବ୍ଲକ ସାନବଡଗୋପାଳପୁର ପଂଚାୟତ ଉାଟପଡାସ୍ଥିତ ନୀଳକଣ୍ଠେଶ୍ୱର ହାଇସ୍କୁଲରେ । ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ନହେବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟ ସ୍କୁଲକୁ ନେଇ ଯିବାରେ ଲାଗିଛନ୍ତି । ଆଉ ମାସ କେତେଟା ପରେ ମାଟ୍ରିକ ପରୀକ୍ଷା । ଅନ୍ୟ ବିଭାଗର ଶିକ୍ଷକ ନ ଥିବାରୁ ହିନ୍ଦୀ ଶିକ୍ଷକ ବିଦ୍ୟାଳୟ ଚଳାଉଛନ୍ତି । ଏହି ଘଟଣା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି । କେମିତି ପରୀକ୍ଷା ଦେବେ ଓ ପରୀକ୍ଷାରେ କ’ଣ ଲେଖିବେ ସେହି ଚିନ୍ତାରେ ସମସ୍ତେ ଘାରି ହେଉଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ସରକାର ଖେଳ ଖେଳୁଥିବା ନେଇ ଅଭିଭାବକ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଅପରପାଶ୍ୱର୍ରେ ସ୍କୁଲରେ ଦୀର୍ଘଦିନ ଧରି ଜଣେ ଶିକ୍ଷକଙ୍କୁ ଛାଡି ଅନ୍ୟ ସମସ୍ତ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ଶିକ୍ଷା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ସରକାର ଯୁଦ୍ଧକାଳୀନ ଭିତିରେ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାମାନେ ଦାବି କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ଶିକ୍ଷକ ନିଯୁକ୍ତି ପାଇଁ ଉଦ୍ୟମ କରିବି ବୋଲି କହିଛନ୍ତି ।