କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା


  ଢେଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଉ.ପ୍ରା ବିଦ୍ୟାଳୟ ଠାରେ ଚନ୍ଦ୍ରଶେଖରପ୍ରସାଦ କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ସିଆର୍ସିସି ନୃସିଂହ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିପୁଣ ଓଡିଶା ମେଳାରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରଶେଖରପ୍ରସାଦ ଗ୍ରାମ ପଂଚାୟତର ସରପଂଚ ସନ୍ତୋଷ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ୱାର୍ଡ ମେମ୍ବର ଗୀତାଞ୍ଜଳି ପରିଡା ଓ ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ନିରାକାର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନେ ଭାଷା ଓ ସଂଖ୍ୟାଜ୍ଞାନରେ ନିପୁଣ ହେଲେ ସେମାନେ ପରବର୍ତ୍ତୀ ଉଚ୍ଚ ଶ୍ରେଣୀ ଗୁଡିକର ଦକ୍ଷତାଗୁଡିକୁ ସହଜରେ ହାସଲ କରିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ମେଳାରେ ସାକ୍ଷରତା ଷ୍ଟଲ୍, ସଂଖ୍ୟାଜ୍ଞାନ ଷ୍ଟଲ୍, ସୃଜନଶୀଳତା ଷ୍ଟଲ୍ ଓ ମତାମତ ଷ୍ଟଲ୍ ଆୟୋଜିତ ହୋଇଥିଲା । ପ୍ରତି ବିଦ୍ୟାଳୟରୁ ୧୦ଜଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଉତ୍ସର୍ଗୀକୃତ ଶିକ୍ଷକ ଯୋଗ ଦେଇଥିଲେ । ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ଓ ଉତ୍ସର୍ଗୀକୃତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ସୁଶାନ୍ତି ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ନିପୁଣ ଓଡିଶା ସଙ୍ଗୀତ ଓ ଶପଥପାଠ କରାଯାଇଥିଲା । ଶେଷରେ ଶିକ୍ଷକ ସନ୍ଦୀପ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବେ ବାଲ୍ୟମ୍ବା ଉ.ପ୍ରା ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେଇଙ୍କ ଅଧ୍ୟକ୍ଷତାରେ ନିପୁଣ ଓଡିଶା ମେଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।