ମେଗା ପାନୀୟ ପ୍ରକଳ୍ପ ଅଚଳ : ଲୋକଙ୍କ କଥା ନୁହେଁ ନିଜ ପକେଟ ଚିନ୍ତା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମିତ ହୋଇଥିବା ଏକ ଲକ୍ଷ କ୍ଷମତା ବିଶିଷ୍ଟ ମେଗା ପାନୀୟ ଜଳ ପ୍ରକଳ୍ପ ଆଜି ଅଚଳ ହୋଇଛି । ଉକ୍ତ ପ୍ରକଳ୍ପ ପାଇଁ ମିଳିତ ଅନୁଦାନରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ସ୍କିମ ମାଧ୍ୟମରେ ଖର୍ଚ୍ଚ ହେଇଛି ୮୮ ଲକ୍ଷ ୭ ହଜାର ଟଙ୍କା । ଯାହା ସୂଚନା ଅଧିକାର ଆଇନ ତଥ୍ୟ ମାଧ୍ୟମରେ ଜଣାପଡିଛି । ଗ୍ରାମକୁ ପାଇପ ଲାଇନ କାର୍ଯ୍ୟପାଇଁ ଖର୍ଚ୍ଚ ବାବଦରେ ୩୬ ଲକ୍ଷ ୩୧ ହଜାର ଟଙ୍କା ଆସିଥିଲା । ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ ଅପେକ୍ଷାରେ ଥିବାବେଳେ ଆଜି ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାର ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି ।
ପ୍ରତେକ ବର୍ଷ ଗ୍ରୀଷ୍ମପ୍ରଭାବରେ ପାଣି ପାଇବା ପାଇଁ ବହୁତ ଅସୁବିଧା ହୁଅନ୍ତି ଗ୍ରାମବାସୀ । ପ୍ରତେକ ବର୍ଷ ବ୍ଲକ୍ରୁ ଲକ୍ଷ ଲକ୍ଷ ପାଣି ବାବଦରେ ବିଲ ଉଠାଇ ନିଜ ପକେଟ ଗରମ କରୁଥିବାରୁ ଧ୍ୟାନ ଦେଉନାହାନ୍ତି ଅଧିକାରୀ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରି ନ ଥିବା ସ୍ୱତେ ଠିକାଦାର ପୂର୍ବତନ ପଞ୍ଚାୟତ ଅଧିକାରୀଙ୍କୁ ହାତ କରି ବିଲ୍ କରି ନେଇଛନ୍ତି । ପାଣି ଯୋଗେଇ ଦେବା ବାହାନାରେ ଗ୍ରାମ ବାସୀଙ୍କଠାରୁ ପରିଚୟ ପତ୍ରର ନକଲ କପି ନେଇ ସମ୍ପୃକ୍ତ ଠିକାଦାର ସମ୍ପୂର୍ଣ ବିଲ ଉଠାଇନେଲେ । ବର୍ତମାନ ସୁଦ୍ଧା ପଂଚାୟତକୁ ଦାଇତ୍ୱ ଦିଆଯାଇନି ବୋଲି ସରପଞ୍ଚ ଅଜିତ କୁମାର ସିଂ ଜଣାଇଛନ୍ତି । ବିଭାଗୀୟ କର୍ତୃପକ୍ଷଙ୍କୁ ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି । ମୋଟା ମୋଟି ଭାବେ କହିବାକୁ ଗଲେ ବସୁଧା ଯୋଜନା ଆଜି ଗ୍ରାମବାସୀଙ୍କ ପାଇଁ ସାତସପନ ହେଇଯାଇଛି । ବର୍ତମାନ ଟାଙ୍କିର ପାଇପ ଛିଣ୍ଡି ପଡିଲାଣି, ଆରମ୍ଭ ହେବା ପୂର୍ବରୁ ଟାଙ୍କିରେ ଫାଟ, ପାଣି ମଟର ସହ ପାଣି ପାଇପ ମାନ ଚୋରି ହେଇଗଲାଣି ଏହାର ସୁରକ୍ଷା ପାଇଁ କୌଣସି ବିଭାଗୀୟ ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନି । ଆଗାମୀ ଦିନରେ ଏହାର ସମାଧାନ କରା ନ ଗଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ ସହ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣେଇବା ସହ ଅନେ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି କହିଛନ୍ତି ।