ଖଡିଆଳ ସହରରେ ଟ୍ରାଫିକ ପୋଷ୍ଟ କେବେ?
ନୂଆପଡ଼ା : ଖଡ଼ିଆଳ ଏକ ପୁରୁଣା ଓ ଐତିହାସିକ ସହର । ଏହା ଏକ ଗଡ଼ଜାତ ଅଞ୍ଚଳ ଥିଲା ଓ ରାଜା ରାଜୁଡ଼ା ଶାସନ ଚାଲିଥିଲା । ବର୍ତ୍ତମାନ ଏହା ନୂଆପଡ଼ା ଜିଲାର ଅଂଶବିଶେଷ ଓ ଏହାକୁ ଜିଲାର ପ୍ରାଣ କେନ୍ଦ୍ର କୁହାଯାଏ । ଏହା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିବା ବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟ ମଧ୍ୟ ରହିଛି । ଏଠାରେ ଦଶରୁ ଉର୍ଦ୍ଧ କଲେଜ୍, ପନ୍ଦରରୁ ଉର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟ, ସବ ଡିଭିଜନ ହସ୍ପିଟାଲ, ମିଶନ ହସ୍ପିଟାଲ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି । ଖଡ଼ିଆଳ ସହରର ଜନସଂଖ୍ୟା କୋଡ଼ିଏ ହଜାରରୁ ଉର୍ଦ୍ଧ୍ୱ । ନୂଆପଡ଼ା ଜିଲା ସମେତ ପଡୋଶୀ ବଲାଙ୍ଗୀର ଜିଲା, କଳାହାଣ୍ଡି ଜିଲାର ଅନେକ ଗ୍ରାମବାସୀ, ଏପରିକି ସୀମାବର୍ତ୍ତି ଛତିଶଗଡ ରାଜ୍ୟର ଲୋକେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଆଦି କାମରେ ଖଡ଼ିଆଳ ଆସିଥାନ୍ତି । ଖଡ଼ିଆଳ ଠାରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଯାଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲା ସମେତ ଗୋପାଳପୁର ଓ ଛତିଶଗଡ, ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଗମନାଗମନ ବ୍ୟବସ୍ଥା ରହିଛି । ଦୈନିକ ହଜାର ହଜାର ଯାନବାହାନ ସହର ଦେଇ ଯାତାୟାତ କରିଥାଏ । ବିଶେଷ କରି ଭାରିଯାନ ସବୁ ପ୍ରତିଦିନ ଯାଇଥାନ୍ତି । କିନ୍ତୁ ଏଠାରେ ଟ୍ରାଫିକ ବ୍ୟବସ୍ଥା କରାଯାଇନି । ଦିର୍ଘ ଦିନରୁ ଟ୍ରାଫିକ ପୋଷ୍ଟ ପାଇଁ ସହର ବାସୀ ଓ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି । ପ୍ରଶାସନ ଏହି ଦାବିକୁ ନଜର ଅନ୍ଦାଜ କରୁଛି । ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଦୁର୍ଘଟଣା ହେଲେ ରାସ୍ତା ଅବରୋଧ, ଆନେ୍ଦାଳନ ଆଦି କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଲୋକେ ଦାବି କରୁଛନ୍ତି, ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇ ଭୁଲିଯାଉଛି । ଖଡ଼ିଆଳ ଥାନାର କିଛି ହୋମ ଗାର୍ଡ କାଁ ଭାଁ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖାଦେଉଛି । ସେମାନେ ମଧ୍ୟ ବିଶେଷ ତାଲିମପ୍ରାପ୍ତ ନୁହନ୍ତି । ଖଡ଼ିଆଳ କଲେଜ୍ ଛକରେ ମଧ୍ୟ ସବୁବେଳେ ଭିଡ ରହୁଥିବା ବେଳେ ଛାତ୍ରଛାତ୍ରୀ ରାସ୍ତା ଅତିକ୍ରମ କଲାବେଳେ ଭୟ କରୁଥିବା କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ବାଇପାସ ରୋଡ ପାଇଁ ମଧ୍ୟ ଅଞ୍ଚଳବାସୀଙ୍କ ଅନେକ ଦିନର ଦାବିକୁ ସରକାର ଅଣଦେଖା କରୁଛନ୍ତି । ଏନେଇ ନୂଆପଡ଼ା ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।