ଖାଲଖମାରେ ପରିପୂର୍ଣ୍ଣ ଭାର୍ଗବୀ ନଦୀବନ୍ଧ ରାସ୍ତା   

ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ : ବାଳକାଟି- ଝିଣ୍ଟିଶାସନ ଭାର୍ଗବୀ ନଦୀ ବନ୍ଧ ରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ହେବା ସହ ଅନାବନା ଘାସ ମାଡ଼ିଯିବାରୁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବାରେ ଲାଗିଛି । ସେହିପରି ରାସ୍ତାଟି ରାତିରେ ଘନ ଅନ୍ଧକାର ହୋଇଥିବାରୁ ବିଭିନ୍ନ ସମୟରେ ଚୋରି ଡକାୟତି ଭଳି ଘଟଣା ଘଟୁଥିବା ନଜିର ରହିଛି । ଫଳରେ ଯାନବାହନ ଚାଳକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । 
ଏହି ରାସ୍ତା ଉପରେ ବାଳକାଟି ସମେତ ପୁରୋହିତପୁର, ଆଳିସାଶାସନ, ଝିଣ୍ଟିଶାସନ, ରାଳସ, ମୁକୁନ୍ଦାସପୁର ସୋମଣାଶାସନ ଆଦି ପଞ୍ଚାୟତ ପ୍ରାୟ ୪୦ରୁ ଊଦ୍ଧ୍ୱର୍ ଗ୍ରାମବାସୀ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସ୍ଥାନକୁ ଯାତାୟାତ ପାଇଁ ନିର୍ଭର କରିଥାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ନଦୀବନ୍ଧ ରାସ୍ତାଟି ବାଳକାଟି ସାଇଫୋନ୍ଠାରୁ ଅଚୁ୍ୟତପୁର କାଜ ପର୍ଯ୍ୟନ୍ତ ଖାଲଖମାରେ ପରିପୂର୍ଣ୍ଣ ହୋଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ ଠିକାଦାର ମନୋନୟନ କରାଯାଇ କାମ କରାଯାଇଥିଲା । ରାସ୍ତାର ଉନ୍ନତିକରଣ ସାଙ୍ଗକୁ ଦୋହରୀକରଣ କରାଯାଇଥିଲା । ୨ଟି ପର୍ଯ୍ୟାୟରେ ୨ଟି ଠିକାସଂସ୍ଥା ଏହି ନଦୀବନ୍ଧ ରାସ୍ତା କାମ କରିଥିଲେ । ଜଣେ ବାଳକାଟି ପୁରା ମୁଖ୍ୟ କେନାଲ ଠାରୁ ଝିଣ୍ଟିଶାସନ ପର୍ଯ୍ୟନ୍ତ କରିଥିବା ବେଳେ ଅନ୍ୟ ଜଣେ ଝିଣ୍ଟି ଶାସନରୁ ଅଚୁ୍ୟତପୁର କାଜ ପର୍ଯ୍ୟନ୍ତ ନିର୍ମାଣ କରିଥିଲେ । ମାତ୍ର ରାସ୍ତା ନିର୍ମାଣ ହେବାର ୪ବର୍ଷ ନପୂରୁଣୁ ବାଳକାଟି ସାଇଫୋନଠାରୁ ଝିଣ୍ଟି ଶାସନ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଯାଇଛି । ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ହୋଇଥିବାବେଳେ ରାତିରେ ଲୋକେ ଜାଣିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି  । ୨ଟି ୪ ଚକିଆ ଯାନ ପରସ୍ପରକୁ ଅତିକ୍ରମ କରିବା ପାଇଁ ବହୁ ଅସୁବିଧା ହୋଇଥାଏ । ସେହିପରି ଏହି ସମସ୍ୟାକୁ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରସାରଣ ହେବା ପରେ ବିଭାଗ ଏହି ଖାଲ ସ୍ଥାନରେ ଡଷ୍ଟ ପକାଇ ସମତୁଲ କରିଥିଲେ । ମାତ୍ର ତାହା ଖୁବ କମ୍ଦିନରେ ଉଠିଯାଇ ସେହି ପୂର୍ବାବସ୍ଥାକୁ ଆସିଛି । ଅପରପକ୍ଷରେ ଗତ ୨୦୨୪/୨୫ ଆର୍ଥିକ ବର୍ଷରେ ମରାମତିନିମନ୍ତେ ୫ ଲକ୍ଷ ବ୍ୟୟରେ ଠିକାପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ କୌଣସି କାରଣରୁ ବାତିଲ ହୋଇଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରିନାହିଁ । ଏଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତା ମରାମତି ଏବଂ ବାଳକାଟିରୁ ଅଚୁ୍ୟତପୁର ପର୍ଯ୍ୟନ୍ତ ଆଲୋକୀକରଣ ନିମନ୍ତେ ସାଧାରଣରେ ଦାବି ହେଉଛି ।