ଏସଏଚଜିଙ୍କୁ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ
ଭୁବନେଶ୍ୱର : ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ ମିଶନ ଶକ୍ତି ବିଭାଗ ସହ ଏଫଆଇସିଏସଆଇ, ଟିଏସଏସସି, ଜିଜେଏସସି ଓ ଏନସିଡବ୍ଲୁ୍ୟର ୪ଟି ବୁଝାମଣା ପତ୍ର ସ୍ୱାକ୍ଷର ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ଆହୁରି ପ୍ରୋସôାହନ ଯୋଗାଇବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ମିଶନ ଶକ୍ତି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ।
ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ତୃଣମୂଳସ୍ତରରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତି ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଓଡିଶା ଆଦିବାସୀଙ୍କର ନିଆରା ପାରମ୍ପରିକ କଳା ଓ କୌଶଳ ଉପରେ ଗୁରୁତ୍ୱ ଦେବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଓଡିଶାରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ପୁନଶ୍ଚ, ମିଶନ ଶକ୍ତି ବିଭାଗ ଟିଏସଏସସି ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରୟୋଗାତ୍ମକ ପ୍ରକଳ୍ପ ମାଧ୍ୟମରେ ପ୍ରଥମେ କଟକ ଜିଲ୍ଲାର ୩୦ଟି ଗ୍ରାମ ପଞ୍ଚାୟତରେ ୬୦ ଜଣ ମହିଳାଙ୍କୁ ମୋବାଇଲ ହ୍ୟାଣ୍ଡସେଟ ମରାମତି କାର୍ଯ୍ୟ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ତୃଣମୂଳସ୍ତରରେ ଗ୍ରାମ ପଞ୍ଚାୟତରେ ମହିଳାମାନଙ୍କ ନେତୃତ୍ୱରେ ଅଣୁ ଉଦ୍ୟୋଗ ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଏହି ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଆମେ ଏହାକୁ ସମଗ୍ର ରାଜ୍ୟରେ ଲାଗୁ କରାଯିବ । ମିଶନ ଶକ୍ତି ବିଭାଗ ଆଜି ଜାତୀୟ ମହିଳା ଆୟୋଗଙ୍କ ସହିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରୟୋଗାତ୍ମକ ଭାବରେ ରାଜ୍ୟର ୫ଟି ଜିଲ୍ଲାରେ ୧୮- ୪୦ ବୟସର ସମସ୍ତ ସ୍ୱୟଂ-ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ କୋକାକୋଲା ବେଭେରେଜେସ ପ୍ରାଇଭେଟ ଲିମିଟେଡ(ଏଚସିସିବି) ନିଜର ସିଏସଆର ଜରିଆରେ ସୁଭଦ୍ରା ଶକ୍ତି କାଫେକୁ ଟ୍ରାନ୍ସପାରେଣ୍ଟ ଡୋର ଥିବା ଫ୍ରିଜ ପ୍ରଦାନ କରାଯାଇଛି ।